ଅନ୍ତରୀଣ ଡିଜିପି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ: ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ରାଜ୍ୟ ପୋଲିସର ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ କାରାଗାର ଡିଜି ସତ୍ୟଜିତ ମହାନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯିବା ପରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ରାଜ୍ୟ ସରକାର ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଉଛି। ନୂଆ ଡିଜିପି ଦାୟିତ୍ୱ ନେବା ପର୍ଯ୍ୟନ୍ତ ମୋତେ ଏହି ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା କିଭଳି ଠିକ ରହିବ ସେ ନେଇ ଅଧିକାରୀଙ୍କ ସହ କଥା ହେବି। ଦିଆଯାଇଥିବା ଦାୟିତ୍ୱକୁ ସୂଚାରୁରୂପେ ତୁଲାଇବି ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପଦରୁ ବୁଧବାର ରାଜ୍ୟ ସରକାର ବିଜୟ କୁମାର ଶର୍ମାଙ୍କୁ ହଟାଇ ଦେଇଥିଲେ। ତାଙ୍କ ସ୍ଥାନରେ ନୂତନ ଡିଜିପି ଭାବେ ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟଙ୍କୁ ନିଯୁକ୍ତି ମିଳିଛି। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଅତିରିକ୍ତ ଭାବେ ଅନ୍ତରୀଣ ଡିଜି ଦାୟିତ୍ୱ ନେବାକୁ ସତ୍ୟଜିତଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶ ଆଧାରରେ ରାତିରେ ସେ କାଗଜପତ୍ରରେ ଦାୟିତ୍ୱ ନେଇଥିଲେ।

Share