Categories: ବାଣିଜ୍ୟ

ଅନ୍ତରୀଣ ବଜେଟ ଆବଣ୍ଟନ ରହିପାରେ ଜାରି

ନୂଆଦିଲ୍ଲୀ,୬-୬: ଚଳିତ ବର୍ଷ ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଦିଆଯାଇଥିବା ଆବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ଲାଗି ଜାରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ସଙ୍କେତ ଦେଇଛି। ନୂଆ ସରକାର କ୍ଷମତାକୁ ଆସିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବାକୁ ଯାଉଛନ୍ତି। ଏକ ସର୍କୁଲାର ଜାରି କରି ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ଅନ୍ତରୀଣ ବଜେଟରେ ଆବଣ୍ଟିତ ହୋଇ ନ ଥିବା କ୍ଷେତ୍ରଗୁଡ଼ିକ ଲାଗି ପୂର୍ଣ୍ଣାଙ୍ଗ ବଜେଟରେ ଅତିରିକ୍ତ ବ୍ୟବସ୍ଥା କରାଯିବ। ଅନ୍ତରୀଣ ବଜେଟ ୨୦୧୯-୨୦ରେ ହୋଇଥିବା ଆବଣ୍ଟନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ସୂଚନାଥାଉ କି, ସୀମାରାମନ୍‌ଙ୍କ ବଜେଟ ଟିମ୍‌ରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ମୁଖ୍ୟ ଆର୍ଥିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ସାମିଲ ହୋଇଛନ୍ତି। ସୀତାରାମନ୍‌ଙ୍କ ସମ୍ମୁଖରେ ଧୀମା ପଡିଥିବା ଅର୍ଥନୀତି, ଏନ୍‌ପିଏ ବୃଦ୍ଧି, ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ନଗଦ ସଙ୍କଟ, ନିଯୁକ୍ତି ସୃଷ୍ଟି, ଘରୋଇ ନିବେଶ ବୃଦ୍ଧି, ରପ୍ତାନିରେ ସୁଧାର, କୃଷି ସଙ୍କଟ ତଥା ରାଜସ୍ବ ନିଅଣ୍ଟ ଭଳି ଆହ୍ବାନ ରହିଛି।

Share