Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କୁ ପୂରିଲା ୧୧ ବର୍ଷ

ନୂଆଦିଲ୍ଲୀ,୧୯।୮: ଭାରତୀୟ କ୍ରିକେଟ ଆଇକନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ସୋମବାର ୧୧ ବର୍ଷ ପୂରଣ କରିଛନ୍ତି। ଆଜିକୁ ଠିକ୍‌ ୧୧ ବର୍ଷ ତଳେ ଦିଲ୍ଲୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏବେ ସେ ବିଶ୍ୱର ଶ୍ରେଷ୍ଠ ଓ ଲୋକପ୍ରିୟ ବ୍ୟାଟ୍ସମ୍ୟାନ। ଭାରତୀୟ ଦଳର ଅଧିନାୟକ ଟୁଇଟରରେ ଦୁଇଟି ଫଟୋ ଶେୟାର କରିଛନ୍ତି। ୨୦୦୮ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ର ଏକ ଫଟୋ ଥିବାବେଳେ ଏବେକାର ଏକ ଫଟୋ ଶେୟାର କରି ୧୧ ବର୍ଷର ଅଭିଯାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆଜିର ଦିନରେ ମୁଁ ଜଣେ ଟିନଏଜର ଭାବେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ଅଭିଯାନ ଆରମ୍ଭ କରିଥିଲି। ମୁଁ କଦାପି ଚିନ୍ତା କରି ନ ଥିଲି ଏଭଳି ଆର୍ଶୀବାଦ ପାଇବି। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳତା ପରେ କୋହଲିଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିବାକୁ ସୁଯୋଗ ପାଇଥିଲେ। କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାର ପର ବର୍ଷ ସେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କେବଳ ସଚିନ ତେନ୍ଦୁଲକର (୧୦୦)ଙ୍କ ପଛକୁ କୋହଲି (୬୮) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ୨୩୯ ଦିନିକିଆ, ୭୭ ଟେଷ୍ଟ ଓ ୭୦ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି।

Share