ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ:ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ସରଳୀକରଣ ହେବ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ରାଜ୍ୟର ୩୦ଟି ଯାକ ଜିଲାରେ ସମନ୍ବିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସରଳୀକରଣ କରାଯିବ। ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ମଙ୍ଗଳବାର ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ କହିଛନ୍ତି, ଧଳାବାଡ଼ି ଦୃଷ୍ଟିବାଧିତଙ୍କ ସ୍ବଚ୍ଛନ୍ଦ ଯାତାୟାତ ଓ ସ୍ବାବଲମ୍ବନଶୀଳତା ପାଇଁ ଉଦ୍ଦିଷ୍ଟ। ସେମାନଙ୍କ ସୁରକ୍ଷା ଓ ସ୍ବାଧୀନତାର ପ୍ରତୀକ ଭାବେ ଧଳାବାଡ଼ି ସହାୟକ ହୋଇଛି ବୋଲି ମନ୍ତ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ।
ଦୃଷ୍ଟିବାଧିତଙ୍କ ଉଲ୍ଲେଖନୀୟ କୃତିତ୍ୱକୁ ସମ୍ମାନ ଦେବା ସହ ଧଳାବାଡ଼ିର ମର୍ଯ୍ୟାଦାକୁ ସର୍ବସାଧାରଣରେ ପ୍ରତିଷ୍ଠିତ କରିବା ନିମନ୍ତେ ମିଳିତ ଜାତିସଂଘ ଦ୍ୱାରା ୧୯୯୧ରୁ ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ ପାଳନ କରାଯାଇଥାଏ ା ଧଳାବାଡ଼ି ଦୃଷ୍ଟିବାଧିତଙ୍କ ହାତ ଓ ବାହୁକୁ ସଶକ୍ତ କରେ। ଫଳରେ ସେମାନେ ଯେକୌଣସି ପରିସ୍ଥିତିକୁ ଶୀଘ୍ର ଓ ବିଶ୍ୱାସର ସହିତ ସାମ୍ନା କରିପାରନ୍ତି ବୋଲି ଉପସ୍ଥିତ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପାରାଦୀପ ଫସ୍‌ଫେଟସ୍‌ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୁଜିତ ମିଶ୍ର, କାର୍ଯ୍ୟକ୍ରମର ସହଯୋଗୀ ଅନୁଷ୍ଠାନ ଆନନ୍ଦ ଚାରିଟେବୁଲ୍‌ ଟ୍ରଷ୍ଟ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମହାନ୍ତି, ବିଚ୍ଛନ୍ଦ ୱେଲ୍‌ଫେୟାର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ପ୍ରକାଶ ଚନ୍ଦ୍ର ମହାପାତ୍ର, ସୌଭାଗ୍ୟ ରାଉତରାୟ ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ମହମ୍ମଦ ଇମ୍ରାନ୍‌ ଅଲ୍ଲୀଙ୍କ ରଚିତ ବ୍ରେଲି ପୁସ୍ତକ ‘ମିଶନ: ଆନସର୍‌ ଟୁ କ୍ୟାନସର୍‌’ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ମନ୍ତ୍ରୀ ପଣ୍ଡା ଦୃଷ୍ଟିବାଧିତମାନଙ୍କୁ ଧଳାବାଡ଼ି ବିତରଣ କରିଥିବାବେଳେ ଏହି ଅବସରରେ ଏକ ଧଳାବାଡ଼ି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

Share