Categories: ଫୁରସତ

ଅନ୍ତର୍ଜାତୀୟ ପରିବାର ଦିବସ: ବିଶ୍ୱକୁ ନିଜ ପରିବାର ଭାବିବା ଜରୁରୀ

ଜାତିସଂଘ: ପ୍ରତିବର୍ଷ ମେ ମାସ ୧୫ ତାରିଖରେ ଅନ୍ତର୍ଜାତୀୟ ପରିବାର ଦିବସ ପାଳନ କରାଯାଇଥାଏ। ୧୯୯୩ ମସିହାରେ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଏହି ଦିବସ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ‘ବସୁଧୈବ କୁଟୁମ୍ବକମ୍‌’କୁ ମାନି ଏକ ପରିବାର ସୂତ୍ରରେ ବାନ୍ଧିହୋଇ ସମସ୍ତେ ବିଶ୍ୱର ପ୍ରଗତି ଓ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ସମାଜରେ ମୁଣ୍ଡ ଟେକୁଥିବା ବିଭିନ୍ନ ସମସ୍ୟା, ପ୍ରାକୃତିକ ଦୁର୍ବିପାକର ସାମ୍ନାକରିବା ଓ ସମସ୍ତେ ଏକାଠି ହୋଇ ସହଯୋଗର ହାତ ବଢ଼ାଇବା ଲାଗି ଏହି ଦିବସ ପ୍ରେରଣା ଯୋଗାଇଥାଏ। ନିଜ ପରିବାର ସହିତ ସମାଜ ତଥା ବିଶ୍ୱର ବିକାଶ ଓ ପାରସ୍ପରିକ ସହଯୋଗ ଲାଗି ଏହି ଦିବସର ବେଶ୍‌ ଗୁରୁତ୍ୱ ରହିଛି। କେବଳ ରକ୍ତ ସମ୍ପର୍କ ନୁହେଁ, ନିଜ ଚାରିପଟେ ରହିଥିବା ସମସ୍ତ ବର୍ଗଙ୍କୁ ନିଜର ବୋଲି ଭାବିବାକୁ ପଡ଼ିବ। ଦାରିଦ୍ର୍ୟ, ସ୍ବାସ୍ଥ୍ୟସେବା, ବେକାରି ସମସ୍ୟା ଭଳି ବିଶ୍ୱ ପରିବାର ସମ୍ମୁଖୀନ ହେଉଥିବା ସମସ୍ତ ଚ୍ୟାଲେଞ୍ଜର ମିଳିତ ମୁକାବିଲା କରିବା ଜରୁରୀ। ରକ୍ତ ସମ୍ପର୍କରେ ରହିଥିବା ସୁସମ୍ପର୍କ ଭଳି ସମାଜିକ ସମ୍ପର୍କରେ ମଧ୍ୟ ଏହା ପରିଲକ୍ଷିତ ହେବା ଜରୁରୀ। ଏବେ ବିଶ୍ୱ କରୋନା ମହାମାରୀ କବଳରେ ଛଟପଟ ହେଉଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଛି। ୪୩ ଲକ୍ଷ ଲୋକଙ୍କୁ କବଳିତ କରିବାରେ ଏହି ପ୍ରାଣଘାତୀ ମୂତାଣୁ ସକ୍ଷମ ହୋଇଛି। ଏଭଳି ସ୍ଥିତିରେ ବିଶ୍ୱ ପରିବାର ଏକାଠି ହୋଇ କାମ କରିବା ଦରକାର। ଜନସଚେତନତା ସହ ଶାନ୍ତି ଓ ବିକାଶ କ୍ଷେତ୍ର ଲାଗି ସମସ୍ତେ ଏକ ପରିବାର ଭଳି ଆଗେଇ ଆସିବା ଏହି ଦିବସର ମୂଳ ଉଦ୍ଦେଶ୍ୟ।

Share