ଅନ୍ତର୍ଜାତୀୟ ବ୍ରାଉନ୍‌ସୁଗାର କାରବାର: ରାଜାଙ୍କ ୨ ସହଯୋଗୀ ବାଲେଶ୍ୱରରୁ ଗିରଫ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଅନ୍ତର୍ଜାତୀୟ ନିଶା ମାଫିଆ ତଥା ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ସେକ୍‌ ରାଜାଙ୍କ ଦୁଇ ସହଯୋଗୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ରବିବାର ରାତିରେ ବାଲେଶ୍ୱରରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ମସ୍‌ଜିଦ୍‌ ଗଳିରେ ରହୁଥିବା ବ୍ରାଉନସୁଗାର ଡିଲର ବସନ୍ତ ବେହେରା(୩୦) ଓରଫ ହାଫ୍‌ ପ୍ୟାଣ୍ଟ ବାବୁ ଏବଂ ସୁନହଟର ନୀଳାଦ୍ରି ଦାଶ(୨୬) ଓରଫ ନିଲ୍‌। ସେମାନଙ୍କ ନିକଟରୁ ଦୁଇଟି ଗୁଳି, ଗୋଟିଏ ବାଇକ, ୩ ମୋବାଇଲ ଫୋନ୍‌ ଓ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଦଫା ୨୧(ବି)ଏନ୍‌ଡିପିଏସ୍‌ ଓ ୨୫, ୨୭ ଆମର୍‌ସ ଆକ୍ଟରେ ମାମଲା (ନଂ.୧୨/୧୯) ରୁଜୁ କରି ଏସ୍‌ଟିଏଫ୍‌ ସେମାନଙ୍କୁ ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନ ମିଳିବାରୁ ଉଭୟଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
ପୂର୍ବରୁ ଗିରଫ ହୋଇଥିବା ସେକ୍‌ ରାଜା ବାଂଲାଦେଶରୁ ଜଳପଥରେ ବ୍ରାଉନସୁଗାର ଆଣି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ। ତାଙ୍କର ନିଶା ସାମ୍ରାଜ୍ୟ ନେପାଳ, ଭୁଟାନ ଆଦି ପଡୋଶୀ ଦେଶକୁ ବ୍ୟାପିଥିଲା। ମାଛଧରା ଟ୍ରଲର ଓ ବୋଟ୍‌ ସହାୟତାରେ ବାଂଲାଦେଶରୁ ବ୍ରାଉନସୁଗାର ବାଲେଶ୍ୱରରେ ପହଞ୍ଚତ୍ବା ପରେ ଡିଲର ଓ ଏଜେଣ୍ଟଙ୍କ ସହାୟତାରେ ଅନ୍ୟ ଅଞ୍ଚଳକୁ ପଠାଯାଉଥିଲା। ସେପ୍ଟେମ୍ବର ୧୫ରେ ରାଜାଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ବନ୍ଧୁକ, ଗୁଳି ଓ ବିପୁଳ ବ୍ରାଉନସୁଗାର ମିଳିଥିଲା। ରିମାଣ୍ଡରେ ଆସିଥିବାବେଳେ ନିଶା ସାମ୍ରାଜ୍ୟର ବହୁ ଗୁମର ଖୋଲିଥିଲେ ରାଜା। ଏହାପରେ ବ୍ରାଉନସୁଗାର ଆଣିବାରେ ବ୍ୟବହୃତ ଟ୍ରଲର, ନେପାଳରେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ସହ ବହୁ କୋଟିର ସମ୍ପତ୍ତି ଠାବ କରିଥିଲା ଏସ୍‌ଟିଏଫ୍‌। ଇତିମଧ୍ୟରେ ତାଙ୍କର ବହୁ ସହଯୋଗୀ ଓ ଲିଙ୍କ୍‌ରେ ଥିବା ବେପାରୀମାନେ ଗିରଫ ହୋଇଛନ୍ତି। ସେହିଭଳି ବାଲେଶ୍ୱରରେ ବ୍ରାଉନସୁଗାର କାରବାର ଚଳାଉଥିବା ବସନ୍ତ ଓ ନିଳାଦ୍ରିଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ବହୁଦିନ ହେବ ଯୋଜନା କରିଥିଲା। ବାଲେଶ୍ୱରରେ ବ୍ରାଉନସୁଗାର ପହଞ୍ଚତ୍ବା ପରେ ଏହି ଦୁଇଜଣ କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସମେତ ରାଜ୍ୟର ଅନ୍ୟ ଅଞ୍ଚଳକୁ ପଠାଉଥିଲେ। ତାଙ୍କୁ ରିମାଣ୍ଡରେ ଆଣି ଏସ୍‌ଟିଏଫ୍‌ ଏହି କଳା ସାମ୍ରାଜ୍ୟ ଆହୁରି ନୂଆ ତଥ୍ୟ ହାସଲ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

Share