Categories: ଖେଳ

ଅନ୍ତିମ ଦିବସରେ ଖେଳିପାରିଲେନି: ସ୍ମିଥ୍‌ ଟେଷ୍ଟ ଇତିହାସରେ ମାର୍ନସ ପ୍ରଥମ ବଦଳ ଖେଳାଳି

ଲଣ୍ଡନ, ୧୯ା୮(ଏଏଫ୍‌ପି)- ସ୍ଥାନୀୟ ଲଡର୍‌ସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ଆଶେସ ସିରିଜର ୨ୟ ଟେଷ୍ଟ ମ୍ୟାଚ୍‌ର ୫ମ ଦିନ ଖେଳରୁ ବରିଷ୍ଠ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ବାଦ୍‌ ଦିଆଯାଇଛି। ଶନିବାର ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୮୦ ରନ କରି ବ୍ୟାଟିଂ କରୁଥିବାବେଳେ ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ସ୍ମିଥ୍‌ଙ୍କ ବେକରେ ବାଜିଥିଲା ଏବଂ ସେ ମସ୍ତିଷ୍କରେ ଗୁରୁତର ଆଘାତ ପାଇ ପଡ଼ିଆ ଛାଡ଼ିଥିଲେ। ତେବେ ପରେ ପ୍ରତ୍ୟାବର୍ତ୍ତନ କରି ସ୍ମିଥ୍‌ ୯୨ ରନ କରି ଆଉଟ୍‌ ହୋଇଥିଲେ। କିନ୍ତୁ ରବିବାର ମ୍ୟାଚ୍‌ର ଅନ୍ତିମ ଦିବସର ପୁରା ଖେଳରୁ ତାଙ୍କୁ ବାଦ୍‌ ଦିଆଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଜଣାପଡ଼ିଛି। ‘ଗତକାଲି ରାତିରୁ ମେଡିକାଲ ଷ୍ଟାଫ୍‌ଙ୍କ ଦ୍ୱାରା ସ୍ମିଥ୍‌ଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ଶୋଇକି ଉଠିବା ପରେ ରବିବାର ସେ ରିପୋର୍ଟ କରିଛନ୍ତି। ସ୍ମିଥ୍‌ଙ୍କ ମୁଣ୍ଡ ବିନ୍ଧା ହେଉଥିବା ସହ ଦୁର୍ବଳ ଅନୁଭବ କରୁଛନ୍ତି’ ବୋଲି ଅଷ୍ଟ୍ରେଲିଆ ଟିମ୍‌ର ମୁଖପାତ୍ର କହିଛନ୍ତି। ନୂତନ କରି ଆରମ୍ଭ ହୋଇଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଅଂଶବିଶେଷ ସ୍ବରୂପ ଏହି ଟେଷ୍ଟ ସିରିଜ ଆସୁଥିବାରୁ ନିୟମ ଅନୁଯାୟୀ ଜଣେ ଖେଳାଳି ବେକ କିମ୍ବା ମୁଣ୍ଡରେ ଆଘାତ ପାଇଲେ ତାଙ୍କ ବଦଳରେ ଅନ୍ୟଜଣେ ସମ୍ପୂର୍ଣ୍ଣ ଭାବେ ଫିଲ୍ଡିଂ ଓ ବ୍ୟାଟିଂ କରିପାରିବ। ପୂର୍ବରୁ ଆଘାତପ୍ରାପ୍ତ ଖେଳାଳିଙ୍କ ସ୍ଥାନରେ କେବଳ ବଦଳ ଖେଳାଳିଙ୍କୁ ଫିଲ୍ଡିଂର ସୁଯୋଗ ମିଳୁଥିଲା। ମାର୍ନସ ଲବଶ୍ଚଗନ ଦ୍ୱାଦଶ ଖେଳାଳିଭାବେ ସ୍ମିଥ୍‌ଙ୍କ ବଦଳରେ ରବିବାର ଫିଲ୍ଡିଂ କରିଥିଲେ। ଫଳରେ ଟେଷ୍ଟ କ୍ରିକେଟ୍‌ ଇତିହାସରେ ମାର୍ନସ ପ୍ରଥମ ବିକଳ୍ପ ଖେଳାଳି ହେବାର କିର୍ତ୍ତୀମାନ କରିଛନ୍ତି। ଆବଶ୍ୟକ ହେଲେ ସେ ଉଭୟ ବ୍ୟାଟିଂ ଓ ବୋଲିଂ ମଧ୍ୟ କରିପାରିବେ। ମ୍ୟାଚ୍‌ ରେଫରି ରଞ୍ଜନ ମଦ୍‌ଗୁଲେ ଏହାକୁ ଅନୁମୋଦନ କରିଥିଲେ। ତେବେ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସ୍ମିଥ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟରେ ଖେଳିବେ କି ନାହିଁ ସେ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି।

Share