ଦିଗପହଣ୍ଡି,୧୦ା୫(ଡି.ଏନ.ଏ.)- ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ଗାଳିଗୁଲଜ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଏନେଇ ଭିଡିଓ ଭାଇରାଲ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ବିଇଓ ନିଲମ୍ବନ କରିଛନ୍ତି। ସେ ହେଲେ ଜକର ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ବିଶ୍ୱଜିତ୍ ପ୍ରଧାନ।
ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ ଗୃହ ଦାୟିତ୍ୱରେ ଥିବା ଶିକ୍ଷକ ବିଶ୍ୱଜିତ ଅନ୍ତେବାସୀଙ୍କୁ ଗାଳିଗୁଲଜ କରୁଥିବା ଭିଡ଼ିଓ ଶନିବାର ଭାଇରାଲ ହୋଇଥିଲା। ରବିବାର ତାଙ୍କୁ ନିଲମ୍ବିତ କରାଯାଇଥିବା ବିଇଓ ବସନ୍ତ କୁମାର ପଣ୍ଡା ଜଣାଇଛନ୍ତି। ବିଇଓଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସମ୍ପର୍କରେ ତଦନ୍ତ ପାଇଁ ରବିବାର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ, ଗୋଷ୍ଠୀ ସାଧନ କର୍ମୀ ସୁଦର୍ଶନ ସେଠୀ ଉକ୍ତ କେନ୍ଦ୍ରକୁ ଯାଇ ତଦନ୍ତ କରି କରି ବିଇଓଙ୍କୁ ରିପୋର୍ଟ ଦେଇଥିଲେ। ଏହାକୁ ଭିତ୍ତିକରି ବିଇଓ ସହକାରୀ ଶିକ୍ଷକ ବିଶ୍ୱଜିତ୍ଙ୍କୁ ଗଞ୍ଜାମ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରିଛନ୍ତି।