ଅନ୍ଧବିଶ୍ୱାସ: ବଜ୍ରପାତରେ ମୃତ ବୃଦ୍ଧଙ୍କୁ ଗୋବରରେ ପୋତି ଦେଲେ ପରିବାର ଲୋକେ

ପାଟଣା,୯।୧୦(ସ୍ବ.ପ୍ର.) :କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜଙ୍ଗରାଇ ମୁଣ୍ଡାଙ୍କ ପୁଅ ପାଣ୍ଡୁ ମୁଣ୍ଡା(୫୫)। ତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାଙ୍କୁ ପ୍ରଥମେ ଗୋବର ଗାଡିଆରେ ପୋତି ପକାଇଥିଲେ। ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହାୟତାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପାଣ୍ଡୁ ଘର ବାରଣ୍ଡାରେ ବସିଥିବାବେଳେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନକରି ବିଫଳ ହେବାରୁ ପାଣ୍ଡୁଙ୍କୁ ଏକ ଗୋବର ଗାଡିଆରେ ପୋତି ପକାଇଥିଲେ। ଏନେଇ କରଞ୍ଜିଆ ଥାନାରେ ପୋଲିସ ୨୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।