ଅନ୍ଧବିଶ୍ୱାସ: ୧୨ ଘଣ୍ଟା କୀର୍ତ୍ତନ କଲେ ଗାଁ ମାଡ଼ିବନି କରୋନା, ଜଣେ ଗିରଫ

ଗୋଷାଣୀ,୧ା୪(ଡି.ଏନ୍‌.ଏ.): ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ବିଶେଷକରି ଗୁଜବ ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବାକୁ ବାରମ୍ବାର ସଚେତନ କରାଯାଉଛି। ଏଭଳି କାର୍ଯ୍ୟ କଲେ ଗିରଫ କରାଯିବ ବୋଲି ମଧ୍ୟ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ବୁଝାଯାଉଛି। ହେଲେ ଆଦିବାସୀ ଅଞ୍ଚଳର ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନି। ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲା ଗୋଷାଣୀ ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ଗାଁରେ ୧୨ ଘଣ୍ଟା ଧରି ଭଜନ କୀର୍ତ୍ତନ କଲେ କରୋନା ଗାଁ ମାଡ଼ିବନି ଏବଂ କାହାର କୌଣସି କ୍ଷତି ହେବନାହିଁ। ଗାଁର ଲକ୍ଷ୍ମୀ ଚରଣ ପାତ୍ର ଗ୍ରାମବାସୀଙ୍କ ମଧ୍ୟରେ ଏପରି ପ୍ରଚାର କରିଥିଲେ। ଏଥିରେ ବିଶ୍ୱାସ କରି ମଙ୍ଗଳବାର ଗାଁ ମଣ୍ଡପରେ ଆରମ୍ଭ ହୋଇଥିଲା ଭଜନ କୀର୍ତ୍ତନ। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏତେ ସଚେତନ କରାଯାଉଥିବାବେଳେ ଏଠାରେ ଦିନ ତମାମ ଚାଲିଥିଲା ଏହି କାର୍ଯ୍ୟକ୍ରମ। ଏହି ସମୟରେ ଅଭିଯୁକ୍ତ ଲକ୍ଷ୍ମୀ ଚରଣ ପାତ୍ର ନିଜ ଗୋଡ଼, ହାତ ବାନ୍ଧି ଗାଁ ଦାଣ୍ଡରେ ଗଡ଼ିଥିଲେ। ରୋଗରୁ ମୁକ୍ତି ପାଇଁ ଏପରି କରିଥିବା ଜଣାପଡ଼ିଛି। ଗାଁରେ ଏପରି କାର୍ଯ୍ୟକ୍ରମ ଚାଲିଥିବା ନେଇ ସୋସିଆଲ୍‌ ମିଡିଆରେ ପ୍ରଚାର ହେବାପରେ ଖବର ଗାରାବନ୍ଧ ପୋଲିସ ଓ ପ୍ରଶାସନ ନିକଟରେ ପହଞ୍ଚିଥିଲା। ତୁରନ୍ତ ଗାଁରେ ପୋଲିସ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା। ଏ ନେଇ ଗାରାବନ୍ଧ ଥାନାରେ କେସ୍‌ ନଂ. ୨୩/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାରେ ସମ୍ପୃକ୍ତ ଲକ୍ଷ୍ମୀ ଚରଣ ପାତ୍ରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।