ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣା: ସଡ଼କ ଦୁର୍ଘଟଣାରେ ମୃତ ପ୍ରିୟଙ୍କାଙ୍କ କିଡ୍‌ନୀ, ଚକ୍ଷୁ ଦାନ କଲେ ପରିବାର

ଦିଗପହଣ୍ଡି,୪।୨(ଡି.ଏନ୍‌.ଏ.): ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ରାଣୀ ସାହିର ପ୍ରିୟଙ୍କାରାଣୀ ରାଜୁ(୨୬)ଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକଙ୍କ ସହମତି ଭିତ୍ତିରେ ପ୍ରିୟଙ୍କାଙ୍କ ଦୁଇଟି କିଡ୍‌ନୀ ଓ ଚକ୍ଷୁକୁ ଦାନ କରାଯାଇଛି। କିଡ୍‌ନୀ ଦୁଇଟିକୁ ଅନ୍ୟ ଦୁଇ ଜଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ଏହାଦ୍ୱାରା ପ୍ରିୟଙ୍କାଙ୍କ ପରିବାର ଲୋକେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସୋମବାର ସାରେ ଭୁବନେଶ୍ୱର ଘରୋଇ ହସ୍ପିଟାଲର ଡାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ। ଉପସ୍ଥିତ ପ୍ରିୟଙ୍କାଙ୍କ ଶ୍ୱଶୁର ଭି. ଧର୍ମା ରାଜୁ ଓ ସ୍ବାମୀ ଭି. ସମୀର ରାଜୁ ଅଙ୍ଗ ଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିଥିଲେ। ସୋମବାର ବିଳମ୍ବିତ ରାତିରେ କଟକ ବଡ଼ ଡ଼ାକ୍ତରଖାନାର ସ୍ବତନ୍ତ୍ର ଚିକିତ୍ସକ ଟିମ୍‌ ଉକ୍ତ ହସ୍ପିଟାଲରେ ପହଞ୍ଚି କିଡ୍‌ନୀ ଓ ଚକ୍ଷୁ ସଂଗ୍ରହ କରିଥିଲେ। ପରେ ବିଳମ୍ବିତ ରାତିରେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତି ଜରିଆରେ କଟକ ବଡ଼ ଡ଼ାକ୍ତରଖାନା ଡାକ୍ତରୀ ବିଶେଷଜ୍ଞ ଟିମ୍‌ ଜଣେ ବ୍ୟକ୍ତିଙ୍କ ଦେହରେ ପ୍ରିୟଙ୍କାଙ୍କ ଗୋଟିଏ କିଡ୍‌ନୀ ପ୍ରତ୍ୟାରୋପଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ପୁରୀ ସ୍ବର୍ଗଦାରରେ ଶେଷକୃତ୍ୟ କରାଯାଇଛି।

Share