Categories: ଜାତୀୟ

‘ଅନ୍ୟାୟ ସୁଧାରିବ ସିଏଏ’

ନୂଆଦିଲ୍ଲୀ,୨୯ା୧(ପି.ଟି.): ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଅଣାଯାଇଛି। ଏହି ପଦକ୍ଷେପ ଯୋଗୁ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କୁ ଭାଜପା ଦେଇଥିବା ପୁରୁଣା ପ୍ରତିଶ୍ରୁତି ପୂରଣ ହେବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି।
ରାଲି ୨୦୨୦କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ବାଧୀନତା ପରଠୁ ଜମ୍ମୁ-କଶ୍ମୀରରେ ଅସୁବିଧା ଲାଗିରହିଥିଲା। ରାଜନୈତିକ ଦଳଗୁଡ଼ିକ ଉପତ୍ୟକାରେ କେତେକ ପ୍ରସଙ୍ଗକୁ ବଞ୍ଚାଇ ରଖିଥିଲେ, ଯାହା ଫଳରେ ଆତଙ୍କବାଦ ସେଠାରେ ତିଷ୍ଠି ରହିଥିଲା। ବର୍ତ୍ତମାନର ସରକାର ଏହି ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚଳାଇଛନ୍ତି। ପଡ଼ୋଶୀ ପାକିସ୍ତାନ ଭାରତଠାରୁ ତିନୋଟି ଯୁଦ୍ଧରେ ହାରିସାରିବା ପରେ ବି ଛାୟାଯୁଦ୍ଧ ଚଳାଇଛି। ପୂର୍ବ ସରକାରଗୁଡ଼ିକ ଏହି ସମସ୍ୟାକୁ ଏକ ଆଇନଶୃଙ୍ଖଳା ପ୍ରସଙ୍ଗ ଭାବେ ବିବେଚନା କରୁଥିଲେ। ଏପରି କି ଆମର ଶତ୍ରୁ କାର୍ଯ୍ୟାନୁଷ୍ଠାନ ପାଇଁ ଉସୁକାଇଲେ ବି ସେମାନେ ଚୁପ୍‌ ରହୁଥିଲେ ବୋଲି ମୋଦି ପୂର୍ବ ସରକାରଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଆହୁରି କହିଛନ୍ତି, ଏବେ କେବଳ ଜମ୍ମୁ-କଶ୍ମୀର ନୁହେଁ, ବରଂ ଦେଶର ଅନ୍ୟ ଭାଗରେ ମଧ୍ୟ ଶାନ୍ତିପୂର୍ଣ୍ଣ ବାତାବରଣ ରହିଛି। କେନ୍ଦ୍ର ସରକାର ବହୁ ବର୍ଷ ଧରି ଅଣଦେଖା ହୋଇଥିବା ଉତ୍ତର-ପୂର୍ବାଞ୍ଚଳର ଲୋକଙ୍କ ଆଶା ଆକାଂକ୍ଷାକୁ ମଧ୍ୟ ପୂରଣ କରିବାରେ ସଫଳ ହୋଇଛନ୍ତି। ଏହି ଅବସରରେ ମୋଦି ନିଜ ସରକାରର ସଫଳତା ବଖାଣିବାକୁ ଯାଇ ବୋଡୋ ଚୁକ୍ତିନାମା, ତିନି ତଲାକ, ୩୭୦ ଅନୁଚ୍ଛେଦ ଆଦି ବିଷୟର ଅବତାରଣା କରିଥିଲେ।

Share