ଅନ୍ୟ କୋର୍ଟକୁ ମାମଲା ସ୍ଥାନାନ୍ତର ନିଷ୍ପତ୍ତି

ସମ୍ବଲପୁର,୧୫।୨ (ବ୍ୟୁରୋ): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲି ଆସୁଥିବା ଆନ୍ଦୋଳନର ସମାଧାନ ହୋଇପାରୁନାହିଁ ।
ହେଲେ ରାଜ୍ୟ ସରକାର କୋର୍ଟରେ ଗଡୁଥିବା ମାମଲାଗୁଡିକ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମ୍ବଲପୁର ଜିଲାର ସମ୍ବଲପୁର ସମେତ କୁଚିଣ୍ଡା, ରେଢାଖୋଲ କୋର୍ଟର ମାମଲାଗୁଡିକ ଆବଶ୍ୟକ ହେଲେ ବରଗଡ କୋର୍ଟକୁ ସ୍ଥାନାନ୍ତରିତ ହେବ। ସେହିପରି ଦେବଗଡ଼ ଜିଲାର ମାମଲା କେନ୍ଦୁଝର କୋର୍ଟକୁ, ଝାରସୁଗୁଡ଼ା ଜିଲାର ମାମଲା ସୁନ୍ଦରଗଡ଼ କୋର୍ଟକୁ, ବଲାଙ୍ଗୀର କୋର୍ଟର ମାମଲା ଟିଟିଲାଗଡ଼ ଓ ସଇଁତଲା କୋର୍ଟକୁ ସ୍ଥାନାନ୍ତର କରାଯିବାକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ନିର୍ଦ୍ଦେଶ ଜାରି କରିଛନ୍ତି ା
ଏହାକୁ ସମ୍ବଲପୁର ଓକିଲ ସଂଘ ନାପସନ୍ଦ କରିଛି । ଏଭଳି ଘୋଷଣା ଆଇନଗତ ସଙ୍ଗତ ନୁହେଁ । ସରକାର ଭୟରେ ନିଜକୁ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପ୍ରତିଶ୍ରୁତି ଦେଇ ଠକି ଚାଲୁଥିଲେ ରାଜ୍ୟ ସରକାରଙ୍କ ଅଭିମୁଖ୍ୟ ଜଣାପଡିଯାଇଛି ବୋଲି ଜିଲା ଓକିଲ ସଂଘ କ୍ର୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାର କହିଛନ୍ତି। କୌଣସି ମାମଲାକୁ ବାଧ୍ୟତାମୂଳକ ଅନ୍ୟ କୋର୍ଟକୁ ନିଆଯାଇ ପାରିବନାହିଁ। ଓକିଲଙ୍କୁ କେବଳ ଭୟଭୀତ କରି ମାନସିକ ଭାବେ ଦୁର୍ବଳ କରିବାକୁ ସରକାର ଏଭଳି ହୀନ ପ୍ରୟାସ କରିଛନ୍ତି। ହେଲେ ଆଉ ପଛକୁ ଫେରିବାର ନାହିଁ । ସରକାର ଜନମଙ୍ଗଳକାରୀ ନିଷ୍ପତ୍ତି ନେଇନାହାନ୍ତି । ଆମେ ସବୁ ସମସ୍ୟାର ସାମ୍‌ନା କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି। ଅନ୍ୟପଟେ ଜିଲା ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ, ସୁରେଶ୍ୱର ମିଶ୍ର, ବିକାଶ ପ୍ରଧାନ, ଦୁଷ୍ମନ୍ତ ନାଏକଙ୍କ ସମେତ ସୁପ୍ରିମ୍‌କୋର୍ଟ ଓକିଲ ରେଣୁକା ସାହୁ, ସାଗର ପ୍ରଧାନ ଦିଲ୍ଲୀରେ ସୁପ୍ରିମକୋର୍ଟ ବାର୍‌ ସଭାପତି ଓ ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ସଭାପତି ପ୍ରଧାନ କହିଛନ୍ତି ଯେ, ସୁପ୍ରିମକୋର୍ଟ ବାର୍‌ ସଦସ୍ୟମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ରାଜ୍ୟ ସରକାର ନେଇଥିବା ଏଭଳି ନିଷ୍ପତ୍ତି ବିରୋଧରେ ଯାହା ପଦକ୍ଷେପ ଗ୍ରହଣ ନିଆଯିବ ସେମାନେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଫେବୃୟାରୀ ୧୭ ତାରିଖ ସୁପ୍ରିମକୋର୍ଟ ବାର୍‌ ସଦସ୍ୟମାନେ ସର୍ବୋଚ୍ଚ ଅଦାଲତରେ ଏହାକୁ ନେଇ ଆବେଦନ ମଧ୍ୟ କରିବାର ରହିଛି ବୋଲି ସଭାପତି ପ୍ରଧାନ କହିଛନ୍ତି।

Share