Advertisement

ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜ ଲୋକେ ମନାକଲେ: ଯୁବକମାନେ କଲେ ଶବ ସତ୍କାର

ବଡ଼ଗାଁ, ୨୯।୧୧ (ଡି.ଏନ.ଏ)- ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜର ଲୋକେ ଶବ ସତ୍କାର କରିବାକୁ ମନା କରିଦେଲେ। ଶବ ଘରେ ପଡିରହିଥିଲା। ଶେଷରେ ସ୍ବେଚ୍ଛାସେବୀ ଯୁବକମାନେ ସତ୍କାର କଲେ। ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମରେ। ଯୁବକମାନେ ମାନବିକତାର ଦୃଷ୍ଟାନ୍ତ ଦେଇ ସମାଜ ପାଇଁ ସମାନତାର ବାର୍ତ୍ତା ଦେଇଛନ୍ତି।
ଘଟଣା ହେଲା ସାହାଜବାହାଲ ଆମବୁରେଇପଡାର ସରୋଜ ପ୍ରଧାନ (୪୮) ଗୁରୁବାର ରାତି ୩ଟାରେ ଅସୁସ୍ଥ ହୋଇଥିଲେ। କିଛି ସମୟ ପରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଡେଲକି ଖଡିଆ ସମାଜର ସରୋଜ ୧୮ ବର୍ଷ ପୂର୍ବେ ନିକଟବର୍ତ୍ତି ଦଶରାପଡାର ଜଣେ ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରିଥିଲେ। ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜ ଲୋକେ ଶବ ସତ୍କାର କରିବାକୁ ମନା କରିଦେଇଥିଲେ। ଏହି ଖବର ଶୁଣି ସାହାଜବାହାଲ ଗ୍ରାମର ଗଣେଷ ଜୟପୁରିଆ, ସରୋଜ ସାହୁ, ଚିନ୍ମୟ ସା, ଆଶ୍ଚର୍ଯ୍ୟ ବେହେରା, ଗଗନ ସେଠ ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ଶବ ସତ୍କାର କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share