Categories: ବାଣିଜ୍ୟ

ଅନ୍ୟ ନେଟଓ୍ବର୍କ କଲ୍‌ ଉପରେ ଚାର୍ଜ ନେବ ଜିଓ

ନୂଆଦିଲ୍ଲୀ,୧୦-୧୦: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ପ୍ରଥମଥର ଲାଗି ଏୟାରଟେଲ ଏବଂ ଭୋଡାଫୋନ ଭଳି ଅନ୍ୟ ନେଟଓ୍ବର୍କକୁ କଲ୍‌ ଉପରେ ଚାର୍ଜ ନେବ। ଅନ୍ୟ କମ୍ପାନୀର ନମ୍ବରକୁ ଭଏସ୍‌ କଲ ଉପରେ କମ୍ପାନୀ ମିନିଟ ପିଛା ୬ ପଇସା ନେବ। ଏହା ବଦଳରେ ଗ୍ରାହକଙ୍କୁ ମାଗଣା ଡାଟା ପ୍ରଦାନ କରି କ୍ଷତିପୂରଣ ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। ଇଣ୍ଟରକନେକ୍ଟ ୟୁଜର ଚାର୍ଜ (ଆଇୟୁସି) ବାବଦକୁ କମ୍ପାନୀ ଏହାର ପ୍ରତିଦ୍ୱନ୍ଦ୍ୱିଙ୍କୁ ପ୍ରଦାନ କରିଥିବା ଅର୍ଥ ସଂଗ୍ରହ ଲାଗି ଏଭଳି ନିଷ୍ପତ୍ତି ନେଇଛି। ଆଇୟୁସି ଚାର୍ଜ ଶେଷ ହେବା ଯାଏ କମ୍ପାନୀ ଏଭଳି ଚାର୍ଜ ନେବାକୁ ସୂଚନା ଦେଇଛି। ଆଇୟୁସି ଚାର୍ଜ କମାଇବା ଲାଗି ଜିଓ ବାଧ୍ୟବାଧକତା ସହ ଏଭଳି ନିଷ୍ପତ୍ତି ନେଇଥିବା ଏୟାରଟେଲ ପକ୍ଷରୁ ଅଭିଯୋଗ ହୋଇଛି। ଅପରପକ୍ଷରେ ଜିଓ ଫୋନ, ଲ୍ୟାଣ୍ଡ ଲାଇନ, ହ୍ବାଟସ ଆପ, ଫେସଟାଇମ ଭଳି ପ୍ଲାଟଫର୍ମକୁ କଲ୍‌ ଲାଗି କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ଜିଓ ପକ୍ଷରୁ କୁହାଯାଇଛି। ଗ୍ରାହକଙ୍କ ଲାଗି ଟାରିଫରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି କମ୍ପାନୀ କହିଛି। କମ୍ପାନୀ ପକ୍ଷରୁ ଆଇୟୁସି ଟପ୍‌ଅପ୍‌ ଭାଉଚର ୧୦ ଟଙ୍କାରୁ ଆରମ୍ଭ ହେଉଛି। ଏହା ୧୨୪ ଆଇୟୁସି ମିନିଟ ପ୍ରଦାନ କରିବ। ଏଥିରେ ଗ୍ରାହକ ଅତିିରିକ୍ତ ୧ ଜିବି ଡାଟା ପାଇବେ। ସେହିଭଳି କମ୍ପାନୀର ପୋଷ୍ଟପେଡ ଗ୍ରାହକ ଅଫନେଟ କଲ୍‌ ବାବଦକୁ ୬ ପଇସା ଦେବା ସହ ମାଗଣା ଡାଟା ପାଇବେ।

Share