Categories: ବାଣିଜ୍ୟ

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୪-୪: ଆସନ୍ତା ମେ’ ୨ ପରେ ଭାରତ ସମେତ ୮ଟି ଦେଶ ଇରାନରୁ ଅଶୋଧିତ ତେଲ କିଣିପାରିବେ ନାହିଁ। ଏ ସଂକ୍ରାନ୍ତରେ ପୂର୍ବରୁ ଆମେରିକା କଟକଣା କୋହଳ କରିଥିଲା। ତେବେ ଉକ୍ତ ତାରିଖ ପରେ କଟକଣା ପୁନର୍ବାର ଲାଗୁ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେବା ପରେ ଭାରତ ବିକଳ୍ପ ପନ୍ଥା ବାହାର କରିଛି। ତୈଳ ଯୋଗାଣକାରୀ ଅନ୍ୟ ବୃହତ୍‌ ଦେଶରୁ ଭାରତ ତା’ର ଆବଶ୍ୟକତା ଭରଣା କରିବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏ ସଂକ୍ରାନ୍ତରେ ସେ ଟୁଇଟ୍‌ କରି କହିଛନ୍ତି ଯେ, ଭାରତ ଏହାର ତୈଳ ଆବଶ୍ୟକତା ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିସାରିଛି। ଦେଶର ତୈଳ ବିଶୋଧନାଗାରକୁ ତେଲ ଯୋଗାଣ ବଜାୟ ରଖିବା ଲାଗି ଅନ୍ୟ ତୈଳ ଯୋଗାଣକାରୀଙ୍କଠାରୁ ଅତିରିକ୍ତ ତେଲ କିଣାଯିବ। ଦେଶର ରିଫାଇନେରିଗୁଡ଼ିକ ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମ ପଦାର୍ଥ ଚାହିଦା ପୂରଣ କରିବାରେ ସମ୍ପୂର୍ଣ୍ଣ ସମର୍ଥ ବୋଲି ଧର୍ମେନ୍ଦ୍ର ଟୁଇଟ୍‌ରେ ଦର୍ଶାଇଛନ୍ତି। ସୂଚନାଥାଉ କି, ଆମେରିକା ୨୦୧୮ ନଭେମ୍ବରରେ ଇରାନ ବିରୋଧରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରିଥିଲା। ତେବେ ଭାରତ, ଚାଇନା, ଜାପାନ, ଦକ୍ଷିଣ କୋରିଆ, ତୁର୍କି ଆଦି ଦେଶକୁ ଚଳିତବର୍ଷ ମେ’ ପହିଲା ପର୍ଯ୍ୟନ୍ତ ତେଲ କିଣିବାକୁ ଏହା ଅନୁମତି ଦେଇଥିଲା। କିନ୍ତୁ ସୋମବାର ଟ୍ରମ୍ପ ଆଉ ସମୟ ବୃଦ୍ଧି କରିବାକୁ ରାଜି ନୁହନ୍ତି ବୋଲି ଜଣାଇ ଦେଇଛନ୍ତି।

Share