ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ପ୍ରାୟ ୭୮,୨୩୩ ଜଣ; ସେମାନେ ୧୪ ଦିନ ସଂଗରୋଧରେ ରୁହନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଗତ କିଛି ଦିନ ମଧ୍ୟରେ ରାଜ୍ୟ ବାହାରୁ ପାଖାପାଖି ୭୮,୨୩୩ ଜଣ ବ୍ୟକ୍ତି ଫେରି ଆସିଛନ୍ତି। ପ୍ରାୟ ସମସ୍ତେ ଅନ୍ୟ ରାଜ୍ୟରେ ଥିଲେ। ସେମାନଙ୍କ ମଧ୍ୟରୁ ୩ଟି ଜିଲାକୁ ୫ଶହ ପାଖାପାଖି, ୨୭ଟି ଜିଲାକୁ ୧ହଜାରରୁ ଆରମ୍ଭ କରି ୧୧,୦୦୦ ହଜାର ପାଖାପାଖି ଆସିଛନ୍ତି। କେତେକେ ସଂକ୍ରମିତ ରାଜ୍ୟରୁ ଆସିଛନ୍ତି। ଏଥିଯୋଗୁ ସେମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇନାହାନ୍ତି ବୋଲି କୁହାଯାଇପାରିବ ନାହିଁ। ବିଶେଷକରି ୧୨ ରୁ ୧୪ ଦିନ ମଧ୍ୟରେ ସଂକ୍ରମଣ ଜଣାପଡ଼େନାହିଁ। ଏହାକୁ ଦୃଷ୍ଟିରେ ରଖି ନିଜ ଘରେ ୧୪ ଦିନ ସଂଗରୋଧରେ ରହିବାକୁ ପଡ଼ିବ। ସେମାନେ ଅନ୍ୟ ଲୋକଙ୍କ ସହ ମିଳାମିଶା କରିପାରିବେ ନାହିଁ। ନିଜ ସହ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏପରି କରିବାକୁ ପଡ଼ିବ। ପଞ୍ଚାୟତ ଏବଂ ଜିଲା ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share