ନୟାଗଡ଼ ଅଫିସ,୨୫ା୧୦: ଅନ୍ଲାଇନ୍ରେ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ଼ ଟାଉନ ଥାନା ପୁରୁଣା ସହର ରଥଗାଡ଼ିଆ ସାହିର ସିଦ୍ଧାର୍ଥ ପାଣିଗ୍ରାହୀ। ଥାନାରୁ ମିଳିଥିବା ସୂଚନା ଅନୁସାରେ ଗତ ଫେବୃୟାରୀ ମାସରେ ପୁରୁଣା ସହରର ଶିକ୍ଷକ ବୃନ୍ଦାବନ ଭୋଇଙ୍କ ପୁଅ ବିଶ୍ୱଜିତଙ୍କୁ ସିଦ୍ଧାର୍ଥ ନେଟ୍ ବ୍ୟାଙ୍କିଙ୍ଗ ସୁବିଧା କରାଇଦେବାକୁ କହି ବାପାଙ୍କ ମୋବାଇଲ ଆଣିବାକୁ କହିଥିଲେ। ବିଶ୍ୱଜିତ ବାପାଙ୍କ ମୋବାଇଲ ଆଣିବା ପରେ ସିଦ୍ଧାର୍ଥ ସେଥିରେ ଉକ୍ତ ଅନଲାଇନ୍ ଆପ୍ ଡାଉନ୍ଲୋଡ଼ କରିବା ସହ ତାଙ୍କ ମୋବାଇଲ୍ ନମ୍ବର ଦେଇ ଦେଇଥିଲେ। ଫଳରେ ସିଦ୍ଧାର୍ଥ ବିଭିନ୍ନ ସମୟରେ ଅନ୍ଲାଇନ୍ରେ ବୃନ୍ଦାବନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଉଥିବା ବେଳେ ମେସେଜ ଯାଉ ନ ଥିଲା। ମେସେଜ ନ ଯିବାରୁ ବୃନ୍ଦାବନ ବ୍ୟାଙ୍କକୁ ଯାଇ ଖାତା ଚେକିଂ କରିବାରୁ ବିଭିନ୍ନ ସମୟରେ ୨ ଲକ୍ଷ ୫୧ ହଜାର ୪୪୪ ଟଙ୍କା ଉଠାଯାଇଥିବା ଜାଣିଥିଲେ। ସନ୍ଦେହ ହେବାରୁ ବୃନ୍ଦାବନ ଏ ନେଇ ସିଦ୍ଧାର୍ଥଙ୍କୁ ପଚାରିଥିଲେ। ସିଦ୍ଧାର୍ଥ ଟଙ୍କା ନେଇଥିବା ସ୍ବୀକାର କରିବା ସହ କିଛି ଦିନ ପରେ ଫେରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ ସେ କେଉଁଆଡ଼େ ଫେରାର୍ ହୋଇଯାଇଥିଲେ। ବୃନ୍ଦାବନ ସିଦ୍ଧାର୍ଥଙ୍କ ଘରକୁ ଯାଇ ଟଙ୍କା ମାଗିବାରୁ ପରିବାର ଲୋକେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛିମାସ ପରେ ଟଙ୍କା ନ ମିଳିବାରୁ ବୃନ୍ଦାବନ ବାଧ୍ୟ ହୋଇ କୋର୍ଟରେ ମାମଲା ରୁଜୁ କରିଥିଲେ। ନୟାଗଡ଼ କୋର୍ଟ ଟାଉନ ପୋଲିସକୁ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ପୋଲିସ ତଦନ୍ତ ଚଳାଉଥିବା ବେଳେ ବୁଧବାର ସିଦ୍ଧାର୍ଥଙ୍କୁ ଗିରଫ କରିଥିଲା। ସିଦ୍ଧାର୍ଥଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୁଣ୍ଟୁବନ୍ଧସ୍ଥିତ ଜେଲ୍କୁ ପଠାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।