ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି, ଜଣେ ଗିରଫ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଅନ୍‌ଲାଇନ୍‌ରେ ଶମ୍ବର ଶିଙ୍ଗ ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି)। ଗିରଫ ଯୁବକ ଜଣକ ହେଲେ ଯାଜପୁର ବ୍ରହ୍ମବରଦାର ଦେବୀ ପ୍ରସନ୍ନ ବେହେରା। ଦେବୀ ପ୍ରସନ୍ନ ଶମ୍ବର ଶିଙ୍ଗ ବିକ୍ରି କରିବା ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ। ହାଇଦ୍ରାବାଦ୍‌ରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ପାର୍ଥ ପ୍ରତିମ ପାତ୍ର ଏହି ବିଜ୍ଞାପନକୁ ଦେଖି ଡବ୍ଲ୍ୟୁସିସିବିର ଦୃଷ୍ଟି ଆକର୍ଷଣ କରିଥିଲେ। ଡବ୍ଲ୍ୟୁସିସିବି ଏ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ବନ ବିଭାଗର ହସ୍ତକ୍ଷେପ ଲୋଡ଼ିଥିଲା। ଏହାପରେ ତାଙ୍କୁ ଧରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଯୋଜନା ଅନୁଯାୟୀ, ଶିଙ୍ଗଟିକୁ କିଣିବା ପାଇଁ ମୂଲଚାଲ କରାଗଲା ଓ ଅଭିଯୁକ୍ତଙ୍କୁ ରେଡ୍‌-ହ୍ୟାଣ୍ଡ ଧରାଯାଇଥିଲା। ତେବେ ଦେବୀ ପ୍ରସନ୍ନ ଉକ୍ତ ଶମ୍ବର ଶିଙ୍ଗଟିକୁ କେଉଁଠୁ ଆଣିଥିଲେ ଏବଂ ପୂର୍ବରୁ ସେ ଏଭଳି ବନ୍ୟଜନ୍ତୁ ସାମଗ୍ରୀ ବିକ୍ରି କରିଛନ୍ତି କି ନାହିଁ ସେ ସମ୍ପର୍କରେ ବନ ବିଭାଗ ଖୋଳତାଡ଼ କରୁଛି। ଦେବୀ ପ୍ରସନ୍ନଙ୍କୁ ଗିରଫ କରାଯିବା ପରେ ଓଏଲ୍‌ଏକ୍ସରୁ ଉକ୍ତ ବିଜ୍ଞାପନଟି ହଟାଇଦିଆଯାଇଛି।

Share