ଅନ୍‌ଲାଇନ୍‌ରେ ହେବ ପ୍ରେକ୍ଷାଳୟ ବୁକିଂ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ପ୍ରେକ୍ଷାଳୟ ଏବଂ ମଣ୍ଡପଗୁଡ଼ିକୁ ଏଣିକି ଘରେ ବସି ଅନ୍‌ଲାଇନ୍‌ରେ ବୁକିଂ କରିହେବ। ଏଥିନିମନ୍ତେ ଶୁକ୍ରବାର ବିଭାଗ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ସଂସ୍କୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ, ଏବେ ବିଭାଗ ଅଧୀନ ମଣ୍ଡପଗୁଡ଼ିକର ସଂରକ୍ଷଣ ଓ ଦେୟ ପ୍ରଦାନ ଅବାଧରେ ହୋଇପାରିବ। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଜେନେରାଲ୍‌ ମ୍ୟାନେଜର ବି.କେ. କୁଜୁର, ଡିଜିଏମ୍‌ ମୁକୁଲ ସକ୍‌ସେନା, ଡେପୁଟି ମ୍ୟାନେଜର ବି. ଦାସ ଓ ଏନ୍‌ଆଇସିର ପଦାଧିକାରୀ ବିଭୁ ଦାସଙ୍କ ସମେତ ଉଭୟ ବ୍ୟାଙ୍କ୍‌ ଓ ସଂସ୍କୃତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସଂସ୍କୃତି ବିଭାଗ ପକ୍ଷରୁ ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏଜିଏମ୍‌ ପ୍ରଦୀପ ବିଶ୍ୱାଳ ଏହି ରାଜିନାମା ସ୍ବାକ୍ଷର କରିଥିଲେ।

Share