ଚେନ୍ନାଇ,୯।୫(ପି.ଟି.): କୋଭିଡ-୧୯ ମହାମାରୀ ଆତଙ୍କ ଜାରି ରହିଥିବା ବେଳେ ଚାଲିଥିବା ଅନ୍ଲାଇନ ନେଶନ୍ସ କପ୍ ଚେସ ଟୁର୍ନାମେଣ୍ଟରେ ଭାରତ ତା’ର ଅଷ୍ଟମ ରାଉଣ୍ଡ ମ୍ୟାଚ୍ରେ ୟୁରୋପକୁ ଭେଟିଥିଲା। ତେବେ ଏହି ମୁକାବିଲା ଡ୍ର ରହିଛି। ଏହା ପୂର୍ବରୁ ଭାରତ ଅବଶିଷ୍ଟ ଏକାଦଶକୁ ପରାସ୍ତ କରି ଟୁର୍ନାମେଣ୍ଟର ପ୍ରଥମ ବିଜୟ ହାସଲ କରିଥିଲା। ପ୍ରଥମ ବିଜୟ ପରେ ଡ୍ର ଭାରତ ପାଇଁ ଝଟ୍କା ସଦୃଶ ହୋଇଛି। ଗୁରୁବାର ଭାରତ ରୁଷିଆ ବିପକ୍ଷରେ ମ୍ୟାଚ୍ ଡ୍ର ରଖିଥିଲା। ତେବେ ଆମେରିକାଠାରୁ ପରାସ୍ତ ହୋଇଥିଲା।
ଏହି ଟୁର୍ନାମେଣ୍ଟ ଡବଲ ରାଉଣ୍ଡ- ରବିନ୍ ଫର୍ମାଟରେ ଖେଳାଯାଉଛି। ଦୁଇଟି ଅଗ୍ରଣୀ ଦଳ ଟାଇଟଲ ପାଇଁ ସୁପର ଫାଇନାଲରେ ମୁକାବିଲରେ ଅବତୀର୍ଣ୍ଣ ହେବେ। ସବୁ ମୁକାବିଲାରେ ୪ଟି ବୋର୍ଡ ସାମିଲ ରହିଛି। ୩ଜଣ ପୁରୁଷ ଓ ଜଣେ ମହିଳା ଖେଳାଳି ମୁକାବିଲାରେ ଅବତୀର୍ଣ୍ଣ ହୋଇଥାନ୍ତି।
ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଓ ୟୁରୋପର ମାକ୍ସିମ ଭାଚିର- ଲାଗ୍ରେଭ ମ୍ୟାଚ୍ ଡ୍ର ରହିଛି। ଏହି ମୁକାବିଲାରେ ୬୦ଟି ମୁଭ୍ ହୋଇଥିଲା। ସେହିପରି ବିଶ୍ୱ ରାପିଡ୍ ଚାମ୍ପିୟନ କେନେରୁ ହାମ୍ପି ଓ ଆନ୍ନା ମୁଜିଚୁକଙ୍କ ମୁକାବିଲା ମଧ୍ୟ ଡ୍ର ରହିଥିଲା। ପୂର୍ବରୁ ସପ୍ତମ ରାଉଣ୍ଡ ମ୍ୟାଚ୍ରେ ଆନନ୍ଦ ଓ ହରିକ୍ରିଷ୍ଣା ସେମାନଙ୍କ ମ୍ୟାଚ୍ ଜିତିଥିଲେ ଓ ଅବଶିଷ୍ଟ ବିଶ୍ୱ ବିପକ୍ଷରେ ଭାରତକୁ ବିଜୟୀ କରାଇଥିଲେ।