ଅନ୍‌ଲାଇନ୍‌ ଶପିଂ ସଂସ୍ଥା ଗାଡ଼ିରୁ ପାର୍ସଲ ଲୁଟ୍‌ ଘଟଣା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍‌, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ

କାମାକ୍ଷାନଗର, ୧୩।୮(ଡି.ଏନ୍‌.ଏ.)-ଅନ୍‌ଲାଇନ ଶପିଂ ସଂସ୍ଥାର ପାର୍ସଲ ଭ୍ୟାନ୍‌ରୁ ସାମଗ୍ରୀ ଲୁଟ୍‌ ମାମଲାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ମୋବାଇଲ ଟ୍ରାକିଂ କରି କାବୁ କରିଛି କାମାକ୍ଷାନଗର ପୋଲିସ। ସେମାନେ ହେଲେ କଙ୍ଗେଇଲୋ ଗ୍ରାମର ବିକାଶ ମଲ୍ଲିକ (୨୦), ଜଗନ୍ନାଥପୁର ଗ୍ରାମର ମଳୟ ମଲ୍ଲିକ (୨୮) ଏବଂ ଭୁବନ ଥାନା ଗୋବିନ୍ଦପୁର ଗ୍ରାମର ହେମନ୍ତ ସେଠୀ ଓରଫ୍‌ ଲିପୁ (୨୦)। ସେମାନଙ୍କ ନିକଟରୁ ୯ ଲାପ୍‌ଟପ, ୩ ପ୍ରିଣ୍ଟର, ୩ ଗ୍ରାଇଣ୍ଡର, ଗୋଟିଏ ପ୍ରେସରକୁକର ଏବଂ ୩ ବାଇକ୍‌ ଜବତ କରାଯାଇଛି। ଗୋଟିଏ ଲାପ୍‌ଟପ, ପ୍ରିଣ୍ଟର, ଗ୍ରାଇଣ୍ଡର ଏବଂ ୧୧ଟି ପ୍ରେସରକୁକର ସହ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ମଙ୍ଗଳବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡକାୟତ ଗ୍ୟାଙ୍ଗର କାରନାମା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ।

ପୋଲିସ ସୂଚନା ଅନୁଯାୟୀ, ୨୦୧୯ ମେ ୨୯ ବିଳମ୍ବିତ ରାତିରେ ଅନ୍‌ଲାଇନ୍‌ ଶପିଂ ସଂସ୍ଥା ‘କ୍ରାନ୍ତିଧାରା ଏକ୍ସପ୍ରେସ କାର୍ଗୋ ସର୍ଭିସ’ର ଏକ ପାର୍ସାଲ ଭ୍ୟାନ (ଓଡି ୦୨ ଏଇୟୁ ୨୯୯୫) ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। କାମାକ୍ଷାନଗର ଥାନା ମହୁଲପାଳ ନିକଟ ଜଙ୍ଗଲିଆ ରାସ୍ତାରେ ୪ଜଣ ଅଭିଯୁକ୍ତ ଗାଡ଼ି ଅଟକାଇଥିଲେ। ଡ୍ରାଇଭର ତଥା ଆଠମଲ୍ଲିକ ଥାନା ଅଇଡ଼ା ଗ୍ରାମର ରାଜେନ୍ଦ୍ର ନାୟକଙ୍କୁ ଭୟଭୀତ କରାଇବା ସହ ଗାଡ଼ିରେ ଥିବା ୬୭ ପାର୍ସଲ ମଧ୍ୟରୁ ୩୦ଟି ନେଇଯାଇଥିଲେ। ଏହାପରେ ଡ୍ରାଇଭରଙ୍କୁ ବାଇସିଙ୍ଗା ଗଁା ନିକଟ ଯାତ୍ରା ପଡ଼ିଆ ନିକଟରେ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ରାଜେନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତିକରି ନଂ.୧୦୭/୧୯, ଦଫା ୩୯୪ରେ ମାମଲା ରଜୁ କରାଯାଇଥିଲା। ଡ୍ରାଇଭରଙ୍କଠାରୁ ନେଇଯାଇଥିବା ମୋବାଇଲକୁ ଟ୍ରାକିଂ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଥିଲା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମଳୟ ଏବଂ ହେମନ୍ତ ପେସାଦାର ଅଭିଯୁକ୍ତ। ମଳୟଙ୍କ ନାମରେ ତୁମୁସିଙ୍ଗା ଥାନାରେ ନଂ. ୪୩/୧୯ ଏବଂ ହେମନ୍ତଙ୍କ ନାମରେ ଭୁବନ ଥାନାରେ ନଂ. ୧୦୫/୧୯ରେ ମାମଲା ରହିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଥାନାଧିକାରୀ ନିରଞ୍ଜନ ସେଠୀ, ତଦନ୍ତକାରୀ ଅଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ।