ଅନ୍‌ଲାଇନ ଗେମ୍‌ ଖେଳିବା ମହଙ୍ଗା ପଡ଼ିଲା: ୬୫ହଜାର ଟଙ୍କା ଲୁଟ

ବିଞ୍ଝାରପୁର,୨୦।୪ (ଡି.ଏନ.ଏ): ବିଞ୍ଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ ସମଲପୁର ଗ୍ରାମର ପ୍ରଦୀପ ବେହେରାଙ୍କ ପୁଅ ପ୍ରିୟବ୍ରତ(୧୮) ନିଜ ମୋବାଇଲରେ ଅନଲାଇନରେ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ। ଏହି ଖେଳରେ ତାଙ୍କର ଜଣେ ସାଙ୍ଗଙ୍କ ଏକାଉଣ୍ଟ ବ୍ଲକ ହୋଇଯାଇଥିଲା। ସାଙ୍ଗଙ୍କ ବ୍ଲକ ଏକାଉଣ୍ଟକୁ ଖୋଲିବା ସମୟରେ ଦୁର୍ବୃତ୍ତ ଜଣକ ତାଙ୍କୁ ୧୦ ଟଙ୍କା ମାଗିଥିଲେ। ଏହି ୧୦ଟଙ୍କା କୌଣସି ଏକ ଏଟିଏମ କାର୍ଡରୁ ଦେବାକୁ ଦୁର୍ବୃତ୍ତ କହିଥିଲେ। ପ୍ରିୟବ୍ରତ ନିଜ ମା’ ମିତାରାଣୀ ବେହେରାଙ୍କ ଏଟିଏମ୍‌ କାର୍ଡ ନମ୍ବର ଓ ପାସଓ୍ବାର୍ଡ ଦେଇଥିଲେ। ଏହାପରେ ଏକ ଓଟିପି ଆସିଥିଲା। ସେହି ଓଟିପିକୁ ଦୁର୍ବୃତ୍ତ ଜଣକ ଏଣ୍ଟର କରିବା ମାତ୍ରେ ମିତାରାଣୀଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୬୫ହଜାର ଟଙ୍କା ଲୁଟ ହୋଇଥିବା ମୋବାଇଲକୁ ଆସିଥିବା ମେସେଜରୁ ଜଣାପଡିଥିଲା। ଏହି ଘଟଣାକୁ ନେଇ ମିତାରାଣୀ ରବିବାର ରାତିରେ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଞ୍ଝାରପୁର ପୋଲିସ ଏକ ମାମଲା (ନଂ.୧୧୬/୨୦) ରୁଜୁ କରି ତଦନ୍ତ ଚଳାଇଛି।

Share