ଅନ୍‌ଲାଇନ ପାଠପଢ଼ା ବେଳେ ଅଶ୍ଳୀଳ ଭିଡିଓ

କଟକ ଅଫିସ୍‌,୧୪ା୪: ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ନିଜ ଉଦ୍ୟମରେ ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଛି। ସୋମବାର କଟକର ଏକ ଘରୋଇ ସ୍କୁଲ ପକ୍ଷରୁ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିବା ବେଳେ କିଛି ସମୟ ପାଇଁ ଅଶ୍ଳୀଳ ଭିଡ଼ିଓ ଚାଲିଥିଲା। ଏନେଇ ଅଭିଯୋଗ ପରେ ଚାଉଳିଆଗଞ୍ଜ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।
ସୂଚନାନୁସାରେ, ଘରୋଇ ଇଂଲିଶ ମାଧ୍ୟମ ସ୍କୁଲ ତରଫରୁ ଏକ ନିର୍ଦ୍ଦିଷ୍ଟ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ ପାଠ ପଢ଼ାଯାଉଛି। ଘରେ ବସି ସେମାନେ ମୋବାଇଲ୍‌ କିମ୍ବା ଲାପ୍‌ଟପ୍‌ରେ ପଢ଼ୁଛନ୍ତି। ଜଣେ ଶିକ୍ଷକ ନିଜ ଘରୁ ଅନ୍‌ଲାଇନ୍‌ରେ ପାଠ ପଢ଼ାଉଥିଲେ। ନିଜର ୟୁଜର୍‌ ଆଇଡି ଏବଂ ପାସ୍‌ଓ୍ବାର୍ଡ଼ ଦେଇଥିଲେ। ପାଠପଢ଼ା ଠିକ୍‌ ଚାଲିଥିଲା। ହଠାତ୍‌ ଛାତ୍ରୀଛାତ୍ରଙ୍କ କମ୍ପ୍ୟୁଟର୍‌ ଏବଂ ମୋବାଇଲ୍‌ରେ ଏକ ଅଶ୍ଳୀଳ ଭିଡ଼ିଓ ଆସିଯାଇଥିଲା। ଏହାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ପିଲାମାନେ ଘରେ ପଢ଼ୁଥିବା ବେଳେ ପାଖରେ ଅଭିଭାବକମାନେ ବସିଥିବା ଯୋଗୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହଠାତ୍‌ ପିଲାମାନେ ନିଜର ମୋବାଇଲ୍‌ ଏବଂ କମ୍ପ୍ୟୁଟର୍‌କୁ ବନ୍ଦକରି ଦେଇଥିଲେ। ଶିକ୍ଷକ ଜଣକ ମଧ୍ୟ ଲଗ୍‌ଆଉଟ୍‌ କରିଥିଲେ। ସ୍କୁଲ ପକ୍ଷରୁ ତନାଘନା ଚାଲିଥିଲା। କୌଣସି ଖଳପ୍ରକୃତିର ବ୍ୟକ୍ତି ଫେକ୍‌ ଆଇଡି କରି ଭିଡ଼ିଓ ଛାଡ଼ିଥିବା ଜଣାପଡ଼ିଥିଲା। ଏନେଇ ସ୍କୁଲ ତରଫରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପାଇବା ପରେ ପୋଲିସ ଧାରା ୨୯୨(୨-ଏ) ଏବଂ ଆଇଟି ଆକ୍ଟର ଧାରା ୬୭(ଏ)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

Share