ମୁମ୍ବାଇ,୨୧।୬: ବର୍ତ୍ତମାନ ଅନଲାଇନରେ ଘୃଣା, ଟ୍ରୋଲ ଏବଂ ଅନ୍ୟକୁ ଭଡକାଇବା ଭଳି ବିଭିନ୍ନ ଘଟଣା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଅନଲାଇନ ହେଟ୍କୁ ବନ୍ଦ କରିବା ଲାଗି ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ଗ୍ରୁପର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ଭାରତ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି। ଏଭଳି ସ୍ଥିତିରେ ଅନଲାଇନରେ ଘୃଣା ଏବଂ ଦ୍ୱେଷ ବୃଦ୍ଧିକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ। ଏଥିରୁ ଲୋକମାନେ ଦୂରେଇ ରହିବା ଆବଶ୍ୟକ। ବର୍ତ୍ତମାନ ବ୍ୟକ୍ତି ଅନ୍ୟକୁ ସହାୟତା କରିବାର ମନୋଭାବ ପୋଷଣ କରିବା ଉଚିତ। ଇନଷ୍ଟାଗ୍ରାମ୍ରେ ଏକ ପୋଷ୍ଟ କରି ରତନ ଟାଟା କହିଛନ୍ତି ଯେ, ଅନଲାଇନରେ ବିଭିନ୍ନ କମ୍ୟୁନିଟି ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିବା ଦେଖାଯାଉଛି। ଜଣେ ଅନ୍ୟ ଜଣକୁ ନୀଚା ଦେଖାଇବାକୁ ସବୁ ବେଳେ ଅଡି ବସୁଛି। ବର୍ତ୍ତମାନ ସମୟରେ ସମ୍ବେଦନଶୀଳତା ମନୋଭାବ ରଖିବା ସହ କୋମଳ ମନୋଭାବ ପୋଷଣ କରିବା, ସହାୟତା ଯୋଗାଇ ଦେବା ଜଣେ ଅନ୍ୟ ଜଣକୁ ବୁଝିବାର ଆବଶ୍ୟକତା ରହିଛି। ଅନଲାଇନ ହେଟ୍ଠାରୁ ଲୋକମାନେ ଦୂରେଇ ରହିବା ନେଇ ଆଗେଇ ଆସିବାକୁ ସେ ପୋଷ୍ଟ ଯୋଗେ ଆହ୍ବାନ ଜଣାଇଛନ୍ତି।