ପାରାଦୀପ,୧୬।୩ (ସ୍ବ.ପ୍ର.): ସମ୍ପ୍ରତି କରୋନା ଭାଇରସ୍ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଖୁବ୍ ତତ୍ପରତା ସହ ପଦକ୍ଷେପ ନେଉଛନ୍ତି। ହେଲେ ବିଭିନ୍ନ ଖାଦ୍ୟ ପଦାର୍ଥରେ କରାଯାଉଥିବା ଅପମିଶ୍ରଣ ପ୍ରତି ଲଗାମ ରହୁ ନ ଥିବାରୁ କରୋନା ଭଳି ଆହୁରି ମାରାତ୍ମକ ରୋଗ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଗୋପାଳକମାନେ ଗାଈ, ମଇଁଷିଙ୍କୁ ଦୁହିଁବା ପୂର୍ବରୁ ପିଟୋସିନ ନାମକ ଏକ ଇଞ୍ଜେକସନ ଦେଉଛନ୍ତି। ପନିର ଚାହିଦା ମେଣ୍ଟାଇବା ପାଇଁ ପାରସ ଓ ଶିବା ଭଳି ଅନେକ ପାଉଡର ମିଶ୍ରଣ କରାଯାଉଛି। ସମୁଦ୍ର ଓ ନଦୀରୁ ଧରା ହେଉଥିବା ଖାଦ୍ୟ ଅନୁପଯୋଗୀ ମାଛରେ ଫର୍ମାଲିନ ନାମକ କେମିକାଲ ମିଶାଯାଇ ଶୁଖୁଆ ପ୍ରସ୍ତୁତ କରାଯାଉଛି। ଏ ସବୁ ବ୍ୟତିରେକ ଆମଦାନୀ ଭିତ୍ତିକ ମାଛରେ ବିକେସି (ବେଞ୍ଜାଲ କ୍ରୋନାଇଲ କ୍ଲୋରିସାଇଡ୍) ନାମକ କେମିକାଲ ମିଶାଯାଇ ବଜାରରେ ବିକ୍ରି କରାଯାଉଥିବା ଜଣାଯାଇଛି। ଉକ୍ତ କେମିକାଲ ମିଶାଇବା ଦ୍ୱାରା ମାଛ ସତେଜ ରହିବା ସହ କାତି ସଫା ଦେଖାଯାଉଛି। ଏଥିସହ ମାଛ ପେଟିରେ ଭୁସି ମିଶାଯାଉଛି, ଯାହାଦ୍ୱାରା ମାଛର ଲାଳ ଅଧିକ ରହୁଛି। ଏପରି ମିଶ୍ରଣ ପରେ ସେଥିରେ ସ୍ଥାନୀୟ ନଦୀ କିମ୍ବା ପୋଖରୀ ପାଣିକୁ ପକାଯାଉଛି। ଏହାପରେ ପଡ଼ୋଶୀ ରାଜ୍ୟରୁ ଆମଦାନୀ ମାଛକୁ ଦେଶୀ ବା ସ୍ଥାନୀୟ ଘେରୀ ମାଛ କୁହାଯାଇ ବିକ୍ରି କରାଯାଉଛି। ସ୍ଥାନୀୟ ମାଛ କହିବା ପରେ ମୂଲ୍ୟ ମଧ୍ୟ କିଛିମାତ୍ରାରେ ବଢ଼ିଯାଉଛି। ଉକ୍ତ କେମିକାଲ ମିଶା ମାଛ ଶରୀର ପାଇଁ କେତେଦୂର ଗ୍ରହଣଯୋଗ୍ୟ, ସେ ସମ୍ପର୍କରେ ସିଫର ଜଣେ ବରିଷ୍ଠ ଗବେଷକ ବି. ନାୟକ କୁହନ୍ତି, ମାଛ ଧରାହେବାର ୪ ଘଣ୍ଟା ପର୍ଯ୍ୟନ୍ତ ଏହାର ରକ୍ତ ଓ ମାଂସ ସତେଜ ରହିଥାଏ। ଏହି ସମୟ ମଧ୍ୟରେ ଚାଷୀ କିମ୍ବା ବେପାରୀ ସେହି ମାଛକୁ ବରଫ ଦ୍ୱାରା ସଂରକ୍ଷଣ କରିଦେଲେ ଭଲ। ମାଛରେ ବିଭିନ୍ନ ପ୍ରକାର ପରଜୀବୀ ଜୀବାଣୁ, ଉକୁଣି, ଦୂଷିତ ଜଳୀୟଅଂଶ ଥାଏ। ତେବେ କେତେକ ଲାଭଖୋର ବ୍ୟବସାୟୀ ଓ ରପ୍ତାନିକାରୀ ସଂସ୍ଥା ବିକେସି କେମିକାଲ ମିଶାଇଥାନ୍ତି। ଏହି କେମିକାଲ ଓ ଭୁସି ଦ୍ୱାରା ମାଛ ୪ରୁ ୬ ଦିନ ରହିବା ମଧ୍ୟରେ ସେଥିରୁ ବିଭିନ୍ନ ପ୍ରକାର ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଏହିଭଳି ମାଛକୁ ଖାଦ୍ୟ ନିରୀକ୍ଷକମାନେ ଯାଞ୍ଚ କରିବା ଦରକାର ବୋଲି ସେ କୁହନ୍ତି। ଏ ସମ୍ପର୍କରେ ଜଗତ୍ସିଂହପୁର ଖାଦ୍ୟ ନିରୀକ୍ଷିକା ଅନୀତା ରାଉତଙ୍କୁ ପଚାରିବାରେ, ପୂର୍ବରୁ ଶୁଖୁଆରେ ମିଶାଯାଉଥିବା ଫର୍ମାଲିନ ନାମକ କେମିକାଲ ସମ୍ପର୍କରେ ଦୁଇଥର ସାମ୍ପୁଲ୍ ଟେଷ୍ଟ କରାଯାଇ ପରୀକ୍ଷା କରାଯାଇଥିଲା। ସେତେବେଳେ ଥରେ ନେଗେଟିଭ୍ ଓ ଥରେ ପଜେଟିଭ୍ ରିପୋର୍ଟ ଆସିଥିଲା। ଆମଦାନୀଭିତ୍ତିକ ମାଛ ସମ୍ପର୍କରେ କେବେ ଯାଞ୍ଚ କରାଯାଇନାହିଁ। ଏଥର ଏସବୁ ଉପରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।
ପଡ଼ୋଶୀ ରାଜ୍ୟରୁ ମାଛକୁ ବ୍ୟବସାୟୀମାନେ ଏକ ନିର୍ଦ୍ଦିଷ୍ଟ ପ୍ଲାଷ୍ଟିକ ବାକ୍ସରେ ଯୋଗାଣ କରିଥାନ୍ତି। ସେଥିରେ ୩୫ କେଜି ମାଛ ଓ ୧୫ କେଜି ବରଫ ରହିଥାଏ। ସେହି ବରଫ ପେଟିରେ ଭୁସି ଓ କେମିକାଲକୁ ରାତିରେ ପକାଯାଏ। ସକାଳ ମାଛ ବାହାର କରାଯାଏ ବୋଲି ଅଠରବାଙ୍କି ବାଲିପୁଟର ଜଣେ ବ୍ୟବସାୟୀ କଥା ପ୍ରସଙ୍ଗରେ ସ୍ବୀକାର କରିଥିଲେ। ଏପରି ମାଛକୁ ଖାଉଥିବା ଖାଉଟି ନିଜ ଅଜାଣତରେ ବିଭିନ୍ନ ଦୁରାରୋଗକୁ ଆମନ୍ତ୍ରଣ କରୁଥିବା ଆଲୋଚନା ହେଉଛି।