ଅପମିଶ୍ରିତ ସୋରିଷ ତେଲ ବିକ୍ରି ଅଭିଯୋଗରେ ଚଢାଉ

ବାରିପଦା ଅଫିସ, ୧୪ା୨- ମୟୂରଭଞ୍ଜ ଜିଲା ବାରିପଦା ବଜାରରେ ଅପମିଶ୍ରିତ ସୋରିଷ ତେଳ ବିକ୍ରି ହେଉଥିବା ଅଭିଯୋଗ ପାଇ ଟାଉନ ପୋଲିସ ବୁଧବାର ରାତିରେ ଏକ ଦୋକାନରେ ଚଢାଉ କରିଥିଲା। ଉକ୍ତ ଦୋକାନରୁ ୧୧ଟି ୨୦୦ ମି.ଲି ସୋରିଷ ତେଲ ବୋତଲ ଜବତ ହୋଇଛି। ଜବତ ସୋରିଷ ତେଲକୁ ପରୀକ୍ଷା ପାଇଁ ପୋଲିସ ଲାବ୍ରୋରୋଟୋରୀକୁ ପଠାଇଛି।
ପୋଲିସ ସୂଚନା ଅନୁଯାୟୀ, ଗାନ୍ଧୀ ଛକଠାରେ ଥିବା ଏକ ତେଜରାତି ଦୋକାନରେ ନକଲି ସୋରିଷ ତେଲ ବିକ୍ରି ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଦୋକାନୀଙ୍କୁ ପୋଲିସ ପଚରାଉଚରା ପାଇଁ ଥାନାକୁ ଆଣିଥିଲା। ଦୋକାନୀ ଜଣଙ୍କ ସହରରେ ଥିବା ଏକ ନିର୍ଦ୍ଦିଷ୍ଟ ଗୋଦାମରୁ ଏହି ତେଲ ଆଣି ବିକ୍ରି କରୁଥିବା ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲେ ମଧ୍ୟ ଉକ୍ତ ବ୍ରାଣ୍ଡର କୌଣସି ସୋରିଷ ତେଲ ପାଇ ନ ଥିଲା। ଏ ନେଇ ଏକ ମାମଲା (ନଂ.୮୧/୨୦)ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ଦୋକାନୀ ଜଣଙ୍କୁ ପଚରାଉଚରା ପରେ ଛାଡି ଦିଆଯାଇଥିବା ବେଳେ ଲାବ୍ରୋରୋଟୋରୀରୁ ରିପୋର୍ଟ ଆସିଲେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷେ ଚଢାଉ ସୂଚନା ପାଇ ଗୋଦାମ ମାଲିକ ନକଲି ତେଲକୁ ଲୁଚାଇ ଦେଇଥିବା ଜଣାପଡ଼ିଛି। ଫଳରେ ପୋଲିସ ଖାଲି ହାତରେ ଫେରି ଆସିଥିଲା। ବଜାରରେ ଦିନକୁ ଦିନ ଅପିମିଶ୍ରିତ ତେଲ ବିକ୍ରି ହେଉଥିବାରୁ ଏହାକୁ ନେଇ ଖାଉଟିମାନେ ଚିନ୍ତାରେ ଥିବା ପ୍ରକାଶ କରିଛନ୍ତି। ଯୋଗାଣ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରିବା ପାଇଁ ସହରବାସୀ ଦାବି କରିଛନ୍ତି।