ଅପରାଧ ଯୋଜନା ପଣ୍ଡ: କାର ଛାଡି ଜଙ୍ଗଲକୁ ଦୌଡି ପଳାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡି,୨।୭(ଡି.ଏନ.ଏ.)- କନ୍ଧମାଳ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି। ବାଲିଗୁଡା ଠାରୁ ଦାରିଙ୍ଗବାଡି, ବାଡାବାଙ୍ଗା, ସିଆଙ୍ଗବାଲି ଦେଇ ଗଞ୍ଜାମକୁ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଛି। ସେହିପରି ଦାରିଙ୍ଗବାଡିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଥିବାରୁ ଏହି ଅଞ୍ଚଳ ଏବେ ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ା ଏଭଳି ଏକ ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଛି ା ଅପରାଧୀମାନେ ଏକ କାରରେ ବାଲିଗୁଡା ଭାୟା ବୁଡାଗୁଡା ଦେଇ ଦାରିଙ୍ଗବାଡି ଅଭିମୁଖେ ଯାଉଥିବା ପୋଲିସ ପାଟ୍ରୋଲିଂ ଟିମ୍‌କୁ ସୂଚନା ମିଳିଥିଲା। ଦାରିଙ୍ଗବାଡି ଆଇଆଇସି ଅଲେଖ ଗରଡିଆ ଏକାଧିକ ଟିମ୍‌ ଗଠନକରି ସିମନବାଡି ସମେତ ଦାରିଙ୍ଗବାଡି ଆଦି ଅଞ୍ଚଳରେ ରାତି ପ୍ରାୟ ସାଢେ୧୦ଟାରେ ଯାନବାହନ ଯାଞ୍ଚ କରୁଥିଲେ। ଏଏସ୍‌ଆଇ ଆର. ଭିମୋରାଓ ରେଡ୍ଡୀ ସିମନବାଡିଠାରେ ଯାଞ୍ଚ କରୁଥିବାବେଳେ ଏକ କାର (ନଂ.ଓଡି-୩୩ପି-୦୦୨୧)କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ରା କାର୍‌ଟି ନ ଅଟକି ଦ୍ରୁତ ଗତିରେ ରାଇକିଆ ଅଭିମୁଖେ ପଳାଇଥିଲା। ପୋଲିସ ପିଛା କରି ବାଡାବାଙ୍ଗା ପଞ୍ଚାୟତ ସିକକେତା ପର୍ଯ୍ୟନ୍ତ ଯାଇଥିଲା। ତେବେ କାରଟି ରାଇକିଆ ନଯାଇ ଡାଡାକେତାଦେଇ ସିକନବାଡି ଅଞ୍ଚଳଆଡେ ପଳାଇଥିଲା। ପୋଲିସ ଓ ଦୁର୍ବୃତ୍ତ ଗୋଡାଗୋଡି ବେଳେ ଉଭୟ ଗାଡି ମଧ୍ୟରେ ଏକାଧିକ ଥର ଧକ୍କା ହୋଇଥିଲା। ସେପଟେ ରାସ୍ତା ଶେଷ ହୋଇଯାଇଥିବାରୁ କାରଟି ଆଗକୁ ଯାଇପାରି ନ ଥିଲା ା ଶେଷରେ ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ କାର ଛାଡି ଜଙ୍ଗଲକୁ ଦୌଡି ପଳାଇଥିଲେ। ଆଇଆଇସି ଗରଡିଆ ପହଞ୍ଚତ୍ କାରଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଥିବା କହିଛନ୍ତି ା ଘଟଣାଟିକୁ ଜିଲା ଓ ସ୍ଥାନୀୟ ପୋଲିସ ଗୁରୁତର ସହ ନେଇଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କାରେ ଗଣମାଧ୍ୟମକୁ ଅଧିକ ସୂଚନା ଦେବାକୁ ପୋଲିସ ମନା କରିଥିଲା। ତେବେ ଏହି ଘଟଣାରେ କେତେଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଆଲୋଚନା ହେଉଛି। ମାତ୍ର ଏହାକୁ ଆଇଆଇସି ଗରଡିଆ ଖଣ୍ଡନ କରିଛନ୍ତି। କାର କାହାର ସେନେଇ ତଦନ୍ତ ଚାଲିଛି, କାର ନମ୍ବରଟି ନକଲି ଓ ଏହା ଏକ ସ୍କୋର୍ପିଓ ନମ୍ବର ବୋଲି ଜଣାପଡିଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି। କାର ଭିତରେ ଚୁଡି, ଆଇବ୍ରୋ ଆଦି ପଡିଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଏଏସ୍‌ଆଇ ରେଡ୍ଡୀ ଥାନାରେ ଅଭିଯୋଗ କରିଛନ୍ତି।

Share