ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୧୪।୩(ବ୍ୟୁରୋ): ରାଜ୍ୟରେ ଥିବା ହାର୍ଡକୋର ଅପରାଧୀ ମାନଙ୍କୁ ସାବାଡ କରିବାକୁ ଏସ୍‌ଟିଏଫ୍‌ ଆରମ୍ଭ କରିଛି ଭିନ୍ନ ପ୍ରୟାସ। ଏଥର ଏସ୍‌ଟିଏଫ୍‌କୁ ଅପରାଧୀ ଏବଂ ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର। ଏପରିକି ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ସୂଚନା ଆଧାରରେ ଏସ୍‌ଟିଏଫ୍‌କୁ ସଫଳତା ମିଳିଲେ ପୁରସ୍କାର ବାବଦକୁ ୫ ହଜାର ଟଙ୍କା ମିଳିବ। ତାହା ଯେକୌଣସି ଅପରାଧ ସମ୍ପର୍କରେ ହୋଇଥିଲେ ବି ସବୁ ମାମଲାକୁ ଏସ୍‌ଟିଏଫ ଗୁରୁତର ସହ ନେଇ ତଦନ୍ତ କରିବ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ, ଠିକଣା ଆଦି ଗୁପ୍ତ ରଖାଯିବ। ଏପରିକି ଯେଉଁ ପୁରସ୍କାର ବାବଦକୁ ଅର୍ଥ ରାଶି ଦିଆଯିବ ତାହା ମଧ୍ୟ ଗୁପ୍ତ ରଖାଯିବା ବୋଲି ଏସ୍‌ଟିଏଫ ପକ୍ଷରୁ କୁହାଯାଇଛି।
ବିଗତ ଦିନଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ଅପରାଧୀମାନେ ସ୍ଥାନୀୟ ପୋଲିସକୁ ହାତ କରି ବ୍ରାଉନ ସୁଗାର କାରବାରଠାରୁ ଆରମ୍ଭ କରି ବନ୍ଧୁକ ବେପାର କରୁଛନ୍ତି। ଯାହାଫଳରେ ପୋଲିସ ହାତ ବାନ୍ଧି ବସୁଛି। ତେଣୁ ଓଡ଼ିଶାକୁ ଅପରାଧୀମୁକ୍ତ କରିବା ପାଇଁ ଏଭଳି ପଦେକ୍ଷପ ନେଇଛି। ସାଧାରଣ ଜନତାଙ୍କୁ ଏସ୍‌ଟିଏଫ୍‌ ସହଯୋଗର ହାତ ବଢାଇଛି। ନିଜ ପଞ୍ଚାୟତ ହେଉ ଅବା ନିଜ ଗ୍ରାମ ଯେଉଁଠି ଅପରାଧ ହେଉଛି ତାହା ସ୍ଥାନୀୟ ପୋଲିସକୁ ଜଣାଇବା ପୂର୍ବରୁ ଏସ୍‌ଟିଏଫ୍‌କୁ ଜଣାଇବା ପାଇଁ ନିବେଦନ କରାଯାଇଛି। ଏସ୍‌ଟିଏଫ୍‌ର ଏଭଳି କାର୍ଯ୍ୟକୁ ଅନେକ ବୃଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
ଏ ନେଇ ଆଇନିଜୀବୀ ଦୁର୍ଗାମାଧବ ମିଶ୍ର କହିଛନ୍ତି ଯେ, ଦିନକୁ ଦିନ ଓଡିଶା ପୋଲିସ ଉପରେ ଲୋକଙ୍କ ଭରସା ତୁଟୁଛି। ଅପରାଧୀଙ୍କ ସହ ସ୍ଥାନୀୟ ପୋଲିସ ମଧୁଚନ୍ଦ୍ରିକା କରି ଗିରଫ ବଦଳରେ ହାତ ବାନ୍ଧି ବସୁଛି। ତେଣୁ ଲୋକେ ନ୍ୟାୟ ପାଇଁ ଏଠିସେଠି ଦୌଡ଼ି ହୀନସ୍ତା ହେଉଛନ୍ତି। ତେଣୁ ଏବେ ସ୍ଥାନୀୟ ପୋଲିସ ବଦଳରେ ଏସ୍‌ଟିଏଫ୍‌ ଉପରେ ଲୋକଙ୍କୁ ଭରସା ପାଇଲାଣି। ତେଣୁ ଲୋକେ ଅପରାଧ ସମ୍ପର୍କରେ ଏସ୍‌ଟିଏଫ୍‌କୁ ଖବର ଦେଲେ ନିହାତି ଅପରାଧୀମାନେ ସାବାଡ଼ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ କେନ୍ଦ୍ରାପଡାରୁ ଟିଟୋ, ବ୍ରାଉନ ସୁଗାର ମାଫିଆ ଛୋଟ, ସୟଦ ଅଲ୍ଲୀ, ବ୍ରଜକାପ୍ତା ଚୋରା ଚାଲାଣ ମାମଲା,ବନ୍ଧୁକ କାରବାର, ଖୋର୍ଦ୍ଧାରେ ଚୋରା ପଥର କାରବାର ମାମଲା ଭଳି ଅନେକ ମାମଲାରେ ଏସ୍‌ଟିଏଫ୍‌ ତଦନ୍ତ କରି ଅନେକ ବଡବଡ ହସ୍ତୀମାନଙ୍କୁ ଗିରଫ କରି ଜେଲର ଚାରିକାନ୍ଥ ଦେଖାଇଛି। ତେଣୁ ଏବେ ଏସ୍‌ଟିଏଫକୁ ଜନସାଧାରଣ ଖବର ଦେଲେ ବହୁମାତ୍ରାରେ ଅପରାଧ ରୋକି ହେବ ବୋଲି ଅନେକ ଆଶା କରୁଛନ୍ତି।

Share