ଅପରେଶନ ସଫଳ: ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିବା ବ୍ୟକ୍ତି ଉଦ୍ଧାର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ବ୍ୟକ୍ତି ଦୀର୍ଘ ତିନି ଘଣ୍ଟାର ମାରାଥନ ଅପରେଶନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଅଗ୍ନିଶମ ବିଭାଗର ବ୍ରୁଣ୍ଟୋ ସାଏ ଲିଫ୍ଟ ଟିମ୍‌ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି। ବ୍ୟକ୍ତିଜଣଙ୍କ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗ୍ରାମର ସୁବୋଧ କୁମାର ବାରିକ ଏବଂ ସେ ପୂର୍ବରୁ ପୋଷ୍ଟାଲ ଡିପାର୍ଟମେଣ୍ଟରେ ଚାକିରି କରୁଥିବା ଜଣାପଡ଼ିଛି। ଖବର ପାଇ ତାଙ୍କ ଘରଲୋକେ ଆସୁଥିବା ସୂଚନା ମିଳିଛି। ତେବେ ଉଦ୍ଧାର କରାଯିବା ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଥାଉ କି, ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍‌ ଜୁବଲି ପାଳନ କରାଯିବା ଲାଗି ରଙ୍ଗ କାମ ଚାଲିଛି। ଏହି ସମୟରେ ସେଠାରେ ପଡ଼ିଥିବା ଏକ ସିଡ଼ିରେ ବ୍ୟକ୍ତିଜଣଙ୍କ ଚଢ଼ିଯାଇ ଛାତରେ ପହଞ୍ଚିଥିଲେ। ସେଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିବା ଧମକ ଦେଉଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା କରୁଥିବା ବେଳେ ସେ ଓହ୍ଲାଇବାକୁ ଅମଙ୍ଗ ହେଉଥିଲେ। ଏପରିକି ଲୋକମାନଙ୍କୁ ବ୍ରଶ, ପେଷ୍ଟ, କପଡ଼ା ଦେବାକୁ କହୁଥିଲେ। ଅନେକ ଥର କର୍ମଚାରୀମାନେ ଉପରେ ପହଞ୍ଚି ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ତାଙ୍କୁ ଧରିବା ପାଇଁ ଲାଇବ୍ରେରୀ ଚାରିପଟେ ଜାଲ ବିଛାଯାଇଥିଲା। ତାଙ୍କୁ ଖାଇବାକୁ ଦିଆଯିବା ସହ କଥା ହେବାକୁ ଚେଷ୍ଟା କରାଯାଇଥିଲା। ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ଉଦ୍ଧାର ସମୟରେ ବାଣୀବିହାର କ୍ୟାମ୍ପସ୍‌ ଲୋକାରଣ୍ୟ ହୋଇଯାଇଥିଲା।

Share