Categories: ଜାତୀୟ

ଅପରେଶନ ସମୁଦ୍ର ସେତୁ: ମାଲଦ୍ୱୀପରୁ ୬୯୮ ଭାରତୀୟଙ୍କୁ ନେଇ କୋଚି ପହଞ୍ଚିଲା ଆଇଏନ୍‌ଏସ୍‌ ଜଲାଶ୍ୱ

ନୂଆଦିଲ୍ଲୀ,୧୦।୫: ବିଦେଶରେ ଫସି ରହିଥିବା ଭାରତୀୟକୁ ଫେରାଇ ଆଣିବା ଲାଗି ଭାରତ ସରକାର ବନ୍ଦେ ଭାରତ ମିଶନ ଓ ଅପରେଶନ ସମୁଦ୍ର ସେତୁ କାର୍ଯ୍ୟକାରୀ କରିଛନ୍ତି। ଏହା ମାଧ୍ୟମରେ ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ ପରେ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଉଛି। ରବିବାର ମାଲଦ୍ୱୀପର ରାଜଧାନୀ ମାଲେରୁ ୬୯୮ଜଣ ଭାରତୀୟଙ୍କୁ ନେଇ ଆଇଏନ୍‌ଏସ୍‌ ଜଲାଶ୍ୱ କୋଚି ହାର୍ବରରେ ପହଞ୍ଚିଛି। ଅନ୍ୟପଟେ ସିଙ୍ଗାପୁରରୁ ଏୟାର ଇଣ୍ଡିଆର ଏଆଇ ୩୪୩ ବିମାନ ୨୪୩ ଯାତ୍ରୀଙ୍କୁ ଆଣି ମୁମ୍ବାଇ ପହଞ୍ଚିଛି। ଭାରତୀୟ ନୌସେନାର ସୂଚନା ଅନୁଯାୟୀ ମାଲେରୁ ଫେରିଥିବା ୬୯୮ଜଣ ଭାରତୀୟଙ୍କ ମଧ୍ୟରେ ୧୯ ଜଣ ଗର୍ଭବତୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୪୪୦ ଜଣ କେରଳର ହୋଇଥିବା ବେଳେ ଅନ୍ୟମାନେ ଭିନ୍ନ ଭିନ୍ନ ରାଜ୍ୟର ବୋଲି ଜଣାପଡିଛି। ପ୍ରଥମ କରି ଭାରତୀୟ ନୌସେନା ପକ୍ଷରୁ କରୋନା ସଂକ୍ରମଣ ସମୟରେ ବାହାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। କରୋନା ଭାଇରସ ସଂକ୍ରମଣ ଯୋଗୁ ଲକ୍‌ଡାଉନ ହେବାପରଠାରୁ ଏମାନେ ବିଦେଶରେ ଫସି ରହିଥିଲେ। ସୂଚନାଯୋଗ୍ୟ, ଉଜବେକିସ୍ତାନରେ ଫସି ରହିଥିବା କେତେଜଣ ଭାରତୀୟଙ୍କୁ ମଧ୍ୟ ଏହାପରେ ଉଦ୍ଧାର କରାଯିବ ବୋଲି ଜଣାପଡିଛି।

Share