ଅପହରଣର ୨ମାସ ପରେ ବି ନାବାଳିକାଙ୍କ ପତ୍ତା ପାଉନି ପୋଲିସ: ନ୍ୟାୟ ଦାବିରେ ଧାରଣା ଦେଲେ ମହିଳା

ପୁରୀ ଅଫିସ,୧୭-୯:ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ଅପହରଣ ଘଟଣାରେ ନାବାଳିକାଙ୍କ ପରିବାରକୁ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସୋମବାର ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମ୍ପୃକ୍ତ ଗ୍ରାମର ଶତାଧିକ ମହିଳା। ସେମାନେ ନ୍ୟାୟ ଦାବିରେ ଏସ୍‌ପି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।
ଅଭିଯୋଗରେ ଦର୍ଶାଯାଇଛି, ପୁରୀ ଜିଲା ସଦର ଥାନା ଅଞ୍ଚଳର ଜନୈକା ନାବାଳିକା ଭୁବନେଶ୍ୱରର ଏକ କଲେଜରେ ପଢନ୍ତି। ଗତ ଜୁଲାଇ ୧୧ତାରିଖରେ ସେ ଟ୍ୟୁଶନକୁ ଯାଇ ରୁମ୍‌କୁ ଫେରି ନ ଥିଲେ। ନାବାଳିକାଙ୍କ ବାପା ଏ ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚୁରା କରିବା ପରେ ଛାଡ଼ି ଦେଇଥିଲା। ପୋଲିସର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଏ ପର୍ଯ୍ୟନ୍ତ ନାବାଳିକାଙ୍କ ସନ୍ଧାନ ମିଳିନାହିଁ। ତୁରନ୍ତ ପୁରୀ ଏସ୍‌ପି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଗୁହାରି ଜଣାଇଛନ୍ତି।

Share