Categories: ମେଟ୍ରୋ

ଅପହରଣ ପରେ ଯୁବକଙ୍କୁ ଟାୟାର ଜାଳି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ/ନିରାକାରପୁର,୫।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବଡ଼ପୋଖରିଆ ଓ ଉଗ୍ରତାରା ଛକ ନିକଟସ୍ଥ ଏକ ଜଙ୍ଗଲରୁ ଶୁକ୍ରବାର ସକାଳେ ହାଡ଼କଙ୍କାଳ ଜବତ ହୋଇଛି। ଏହା ନୟାଗଡ଼ ଜିଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ଗଁାର ରବି ପ୍ରଧାନ(୨୦)ଙ୍କର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ନିରାକାରପୁର ଥାନା ପୋଲିିସ ସହ ଶରଣକୁଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଯେ, ଗତ ଜୁନ ୧୪ ତାରିଖ ରଜ ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ରବି ବାଇକ ଯୋଗେ ବାହାରକୁ କେଉଁଆଡ଼େ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ରାତିରେ ମା’ ଉଜ୍ଜଳା ତାଙ୍କୁ କଲ୍‌କରି ଶୀଘ୍ର ଫେରିଆସିବାକୁ କହିଥିଲେ। ଏହି ସମୟରେ ତାଙ୍କ ଜୀବନ ସଙ୍କଟରେ ବୋଲି ରବି ଉତ୍ତର ଦେଇଥିଲେ। କଲ୍ୟାଣପୁର ଗଁାର ଜ୍ୟୋତିର୍ମୟ ମହାନ୍ତି ଓ ଶ୍ରୀନିବାସ ପାତ୍ର ତାଙ୍କୁ ପିଛା କରିଥିବା ସେ କହିଥିଲେ। ପୁଅର କଥା ଶୁଣି ମା’ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କ ଟେର୍‌ ପାଇ ନ ଥିଲେ। ଏ ନେଇ ଗତ ୧୫ ତାରିଖରେ ଶରଣକୁଳ ଥାନାରେ ରବିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ନଂ. ୪୩/୧୯ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସର ପ୍ରାଥମିକ ତଦନ୍ତ ଆଧାରରେ ରବିଙ୍କୁ ବଡ଼ପୋଖରିଆ ଅଞ୍ଚଳରେ ଟାୟାର ଜାଳି ହତ୍ୟା କରାଯାଇଥିବା ଜଣାପଡ଼ିଛି।

Share