ଅପହର୍ତ୍ତାଙ୍କ କବଳରୁ ମୁକୁଳିଲେ ଯୁବକ

ବାରିପଦା ଅଫିସ,୧୯ା୯- ମୟୂରଭଞ୍ଜ ଜିଲା ଦେଉଳି ନିକଟରେ ବୁଧବାର ଟାଉନ ପୋଲିସ ଚଢ଼ାଉ କରି ଅପହର୍ତ୍ତାଙ୍କ କବଳରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଛି। ଯୁବକ ଜଣକ ହେଲେ ବାଲେଶ୍ୱର ଜିଲା କମର୍ଦ୍ଦା ଅଞ୍ଚଳର ଅଞ୍ଜନ ଦାସ। ସଦର ଏସ୍‌ଡିପିଓ କେ.ପି ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତା ଯୋଗୁ ଅଞ୍ଜନଙ୍କୁ ତାଙ୍କ ସାଙ୍ଗମାନେ ଗତ ୧୬ ତାରିଖରୁ ଅପହରଣ କରି ନେଇଥିଲେ। ତାଙ୍କୁ ଛାଡ଼ିବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିନେଇ ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରିଥିଲା। ତେବେ ଅପହର୍ତ୍ତାମାନେ ପୋଲିସ କବଳରୁ ଖସି ପଳାଇଛନ୍ତି। ଅପହର୍ତ୍ତାମାନେ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ କହିଛନ୍ତି।