ଅପହୃତ ସିକ୍ୟୁରିଟି ସଂସ୍ଥା ମାଲିକ, କର୍ମଚାରୀ ଉଦ୍ଧାର

କଟକ ଅଫିସ, ୫ା୩: ବଜ୍ରକବାଟି ରୋଡ୍‌ ଅଞ୍ଚଳରୁ ଅପହୃତ ହୋଇଥିବା ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ବୁଧବାର ବାଦାମବାଡ଼ି ଥାନା ପୋଲିସ ଭୁବନେଶ୍ୱରରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନୟାଗଡ଼ର ପ୍ରଦୀପ କୁମାର ସାହୁ (୪୦), କାକଟପୁରର ପ୍ରଶାନ୍ତ କୁମାର ସ୍ବାଇଁ (୩୦) ଏବଂ ବ୍ରହ୍ମଗିରିର ପ୍ରଶାନ୍ତ ବେହେରା (୨୪)।
ସୂଚନା ଅନୁଯାୟୀ, ବଜ୍ରକବାଟି ରୋଡଠାରେ ‘କଳିଙ୍ଗ ୱାରିୟର ସିକ୍ୟୁରିଟି ସର୍ଭିସ’ ନାମକ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର କାର୍ଯ୍ୟାଳୟ ରହିଛି। କିଛିଦିନ ପୂର୍ବେ ଏହି ସଂସ୍ଥା ପକ୍ଷରୁ ସିକ୍ୟୁରିଟି ଗାର୍ଡ ଆବଶ୍ୟକ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗିରଫ ଅଭିଯୁକ୍ତମାନେ ଚାକିରି ଆଶାରେ ପ୍ରଥମେ କିଛି ଟଙ୍କା ଜମା କରିଥିଲେ। ଉକ୍ତ ସଂସ୍ଥା ତାଙ୍କୁ କିଛିଦିନ ପରେ ଚାକିରି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲଶ। ମାତ୍ର ସଂସ୍ଥା ପକ୍ଷରୁ ଚାକିରି ଦେବାରେ ଅହେତୁକ ବିଳମ୍ବ ହୋଇଥିଲା। ସେଥିପାଇଁ ଅଭିଯୁକ୍ତମାନେ ଗତ ୨ତାରିଖରେ ଉକ୍ତ ସଂସ୍ଥାର କାର୍ଯ୍ୟାଳୟରେ ପଶି ଗଣ୍ଡଗୋଳ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସାହୁ ୨୦ଜଣ ସହଯୋଗୀଙ୍କ ସହ ମିଶି ସଂସ୍ଥାର ମାଲିକ ମାନସ ରଞ୍ଜନ ଜେନାଙ୍କୁ ମାଡ଼ ମାରିବା ସହ କାର୍ଯ୍ୟାଳୟର ସମସ୍ତ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ମାଲିକଙ୍କୁ ବଞ୍ଚାଇବାକୁ ଦୁଇଜଣ କର୍ମଚାରୀ ସେକ ଅସଲିମ ଓ ସନ୍ତୋଷ ବିଶ୍ୱାଳ ଆସିଥିଲେ। ମାତ୍ର ଉଭୟ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତମାନେ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗିଦେବା ସହ ଡିଭିଆର ମେଶିନ ସମେତ ମାନସ ଓ ଅସଲିମଙ୍କୁ କାରରେ ଜବରଦସ୍ତ ନେଇ ସେଠାରୁ ଖସି ପଳାଇଥିଲେ। ବାଦାମବାଡି ଥାନା ପୋଲିସ ପହଞ୍ଚିବାବେଳକୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ଏ ନେଇ ବାଦାମବାଡ଼ିି ଥାନାରେ ଆଇପିସି ଦଫା ୩୬୫, ୩୦୭, ୩୯୫, ୪୫୫, ୩୪ ଅନୁଯାୟୀ କେସ୍‌ ନଂ. ୪୧/୨୦ ରୁଜୁ କରାଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଅଭିଯୁକ୍ତଙ୍କ ପତ୍ତା ପାଇଥିଲା। ସେମାନେ ଦୁଇଜଣଙ୍କୁ ଅପହରଣ କରି ପ୍ରଥମେ ବାରଙ୍ଗ ନେଇଯାଇଥିଲେ। ପରେ ଖଣ୍ଡଗିରି ଓ ଶହୀଦନଗରରେ ଥିବା ଏକ ପରିତ୍ୟକ୍ତ ଘରେ ଲୁଚାଇ ରଖିଥିଲେ। ପୋଲିସ ଘଟଣାର ତଦନ୍ତ କରି ବୁଧବାର ସେହି ଘରୁ ଅପହୃତଙ୍କୁ ଉଦ୍ଧାର କରିବା ସହ ବାଣୀବିହାର ଛକ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Share