Categories: ଗଞ୍ଜାମ

‘ଅପାରଗ କର୍ମଚାରୀ ବିଦା ହେବେ’

ଛତ୍ରପୁର,୩୧ା୫(ଡି.ଏନ.ଏ)- ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ କୋହଳନୀତି ଅବଲମ୍ବନ କରାଯିବ ନାହିଁ। ସମସ୍ତ କର୍ମଚାରୀ ଦକ୍ଷତାର ସହିତ କାର୍ଯ୍ୟ କରିବେ। ଅପାରଗ କର୍ମଚାରୀଙ୍କୁ ଅନ୍ୟତ୍ର ପଠାଇ ଦିଆଯିବ। ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଗଞ୍ଜାମ ଜିଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଏପରି କହିଛନ୍ତି। ଏଥିସହ କ୍ଷେତ୍ର କର୍ମଚାରୀମାନଙ୍କୁ ଅଧିକ କ୍ରିୟାଶୀଳ ହେବା ପାଇଁ ଜିଲାପାଳ କହିଛନ୍ତି। ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କ ନିରାପତ୍ତା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ। ଶୁଦ୍ଧ ପାନୀୟଜଳ, ଛାତ୍ରୀଛାତ୍ର ମାନଙ୍କ ପାଇଁ ଅଲଗା ଶୌଚାଳୟ ଏବଂ ବିଦ୍ୟୁତ ସଂଯୋଗ ପ୍ରତି ଅଧିକ ଧ୍ୟାନ ଦିଆଯିବ। ସିଆରସିସି ମାନଙ୍କୁ ୧୫ ଗୋଟି ବିଦ୍ୟାଳୟର ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ନିୟମିତ ଏହାକୁ ପରିଦର୍ଶନ କରିବେ ଓ ପରିଦର୍ଶକ ପୁସ୍ତିକାରେ ଦସ୍ତଖତ କରିବେ। ସେମାନଙ୍କ ତଥ୍ୟ ବ୍ଲକ ଶିକ୍ଷାଅଧିକାରୀଙ୍କ ନିକଟରେ ଅବିଳମ୍ବେ ପହଞ୍ଚିବ। ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିଦ୍ୟାଳୟ ପାଇଁ ଉତ୍ତରଦାୟୀ ରହିବେ। ସ୍କୁଲ ପରିଚାଳନା କମିଟିର ଅବଧି ୩ ବର୍ଷ ହେଉଥିବାରୁ ଅବଧି ଶେଷ ହେବା ପୂର୍ବରୁ ନୂତନ ପରିଚାଳନା କମିଟି ଗଠନ ହେବ ଏବଂ ଶେଷ ଦିବସରେ ଦାୟିତ୍ୱ ହସ୍ତାନ୍ତର ହେବ। ବିଦ୍ୟାଳୟ ଭିତ୍ତିିଭୂମି ବାବଦ ଅସୁବିଧା ତୁରନ୍ତ ଜିଲାପାଳ କିମ୍ବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଅବଗତ କରିବା ପାଇଁ କୁହାଯାଇଛି। ମୋ ସ୍କୁଲ ଯୋଜନାରେ ସ୍ଥାନୀୟ ଲୋକେ ପ୍ରଦାନ କରିଥିବା ଅର୍ଥ ସେମାନଙ୍କର ସହମତିରେ ବିଦ୍ୟାଳୟ ପାଇଁ ଖର୍ଚ୍ଚ କରାଯିବ। ବିଦ୍ୟାଳୟରେ ୧୦ ତଳକୁ ଛାତ୍ରୀଛାତ୍ର ଥିଲେ ତାହା ବନ୍ଦ କରାଯିବ। ଜିଲାରେ ୪୭ଟି ଏପରି ବିଦ୍ୟାଳୟ ଚିିହ୍ନଟ ହୋଇଥିବାରୁ ତାହାକୁ ତୁରନ୍ତ ବନ୍ଦ କରି ରାଜ୍ୟ ସ୍ତରକୁ ଜଣାଇବା ପାଇଁ ଜିଲାପାଳ କହିଛନ୍ତି। ପ୍ରତ୍ୟେକ ବିଦ୍ୟାଳୟର ପ୍ରାଥମିକ ଚିକିସତ୍ା ବାବଦ ତାଲିମ ସ୍ଥାନୀୟ ଡାକ୍ତରଖାନାରେ ଡାକ୍ତରମାନେ ସମ୍ପୃକ୍ତ ଶିକ୍ଷକ ମାନଙ୍କୁ ପ୍ରଦାନ କରିବେ। ବୈଠକରେ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।