ଅପେରା ହାଲଚାଲ ରାତିତମାମ କାନ୍ଦିଥିଲେ ମୁନ୍ନା

ଅପେରା ଜଗତର ଆଗଧାଡିର ଅନ୍ୟତମ ନାୟକ ମୁନା। ଦୀର୍ଘ ୧୪ବର୍ଷ ଧରି ସେ ଅଭିନୟ ଜାରି ରଖିଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ନମିତାଙ୍କ ସହ ସେ ଏବେ ଧଉଳି ଗଣନାଟ୍ୟରେ ନିଜର ଆକ୍ଟିଂ କ୍ୟରିୟର ଜାରି ରଖିଛନ୍ତି। ଅଭିନୟ ଜୀବନର ଏକ ଅଭୁଲା ସ୍ମୃତିକୁ ବଖାଣି ମୁନା କହନ୍ତି, ‘ସେତେବେଳେ ମୁଁ କୋଣାର୍କ ଗଣନାଟ୍ୟରେ ଥାଏ। କେନ୍ଦୁଝରର ଏକ ସ୍ଥାନରେ ଅପେରା ପରିବେଷଣ କରୁଥାଏ ଏହି ପାର୍ଟି। ସନ୍ଧ୍ୟାବେଳେ ହଠାତ୍‌ ଘରୁ ଖବର ଆସିଲା-ମୋ ମା’ ଚାଲିଗଲେ। ଖବରଟି ଶୁଣିବା ପରେ ମୁଁ ସ୍ତବ୍ଧ ହୋଇଯାଇଥିଲି। ଗୋଟିଏ ପଟେ ମା’ଙ୍କ ମୃତ୍ୟୁ ଖବର, ଅନ୍ୟପଟେ ସେଦିନ ନାଟକ ପାଇଁ ସମ୍ପୂର୍ଣ୍ଣ ଟିକେଟ ବୁକ୍‌ ହୋଇସାରିଥାଏ। କ’ଣ କରିବି ? ମ୍ୟାନେଜରଙ୍କ ନିକଟରୁ ଯାଇ କହିଲି। ମ୍ୟାନେଜର ଅର୍ଗାନାଇଜରଙ୍କ ସହ କଥା ହେଲେ, ହେଲେ ସେମାନେ ନାଟକ ବଦଳାଇବାକୁ ରାଜି ହେଲେନାହିଁ। ତେଣୁ ବାଧ୍ୟହୋଇ ରାତି ତମାମ ଅଭିନୟ କରିବାକୁ ନିଜକୁ ପ୍ରସ୍ତୁତ କରିନେଲି। ମନରେ କୋହ। ସଂଯୋଗବଶତଃ ସେଦିନ ଭୂମିକାରେ ମୋର ଅଧିକ ପ୍ୟାଥେଟିକ ସିନ୍‌ ଥିଲା। ତେଣୁ କାନ୍ଦି କାନ୍ଦି ରାତି ପାହି ଯାଇଥିଲା। ସକାଳୁ ନାଟକ ଶେଷ ହେବା ପରେ ଘରକୁ ଯାଇଥିଲି। ମା’ଙ୍କ ଅନ୍ୟେଷ୍ଟିକ୍ରିୟା ଶେଷ କରି ପୁଣି କେନ୍ଦୁଝର ଫେରିଥିଲି।

Share