ଅଫିସ୍‌ ଆସିବେନି ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି। ଏହି ଦୁଇ ବର୍ଗର କର୍ମଚାରୀଙ୍କୁ ଶୁକ୍ରବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଫିସ ଯିବାକୁ ପଡିବ ନାହିଁ। ସେହିପରି ଜିଲାସ୍ତରରେ ଏହି ବର୍ଗର କର୍ମଚାରୀମାନଙ୍କ ମଧ୍ୟରୁ କିଏ ଅଫିସ ଆସିବେ, ତାହା ଜିଲାପାଳ କିମ୍ବା ନିର୍ଦ୍ଦେକଶ ସ୍ତରର ଅଫିସରମାନେ ସ୍ଥିର କରିବେ। ଅତି ଜରୁରୀ ଥିଲେ ସେମାନଙ୍କୁ ଓସ୍ବାସ୍‌ ମାଧ୍ୟମରେ କାର୍ଯ୍ୟ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି।
ତେବେ ଅନ୍ୟ ବର୍ଗର ଅଧିକାରୀମାନେ ନିୟମିତ ଅଫିସ ଆସିବେ। ଏହାବ୍ୟତୀତ ସରକାରଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ ଅନୁସାରେ, ଯେଉଁ କର୍ମଚାରୀମାନେ କାର୍ଯ୍ୟସ୍ଥଳରେ ନିଜକୁ ଅସୁସ୍ଥ ମନେକରିବେ, ସେମାନେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ୧୪ ଦିନ ପାଇଁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିପାରିବେ। ଏହା ପରେ ସେମାନେ ଅଫିସ ଆସିବା ପୂର୍ବରୁ ନିଜକୁ ମେଡିକାଲ ଫିଟ୍‌ ଥିବା ଦର୍ଶାଇବେ।

Share