ଅଫୁଟା ଗୋଳା ଗୋଟାଇ ବୃଦ୍ଧ ଗୁରୁତର

ବାହାନଗା, ୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବରିପଦା ପଞ୍ଚାୟତର ଅଟାସପୁର ସମୁଦ୍ରକୂଳ ବାଲିରୁ ଏକ ଅଫୁଟା ଗୋଳାକୁ ଗୋଟାଇ ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଅଟାସପୁର ଗ୍ରାମର ରବୀନ୍ଦ୍ର ମଳିକ(୬୫) ଶୁକ୍ରବାର ଗ୍ରାମର ଅନ୍ୟ ୩ଜଣ ଲୋକଙ୍କ ସହିତ ଗୋଳା ଗୋଟାଇବାକୁ ଅଟାସପୁର କୂଳରେ ଥିବା ପ୍ରତିରକ୍ଷା ବିଭାଗର ଫାୟାରିଂ ରୁମ୍‌ ନିକଟକୁ ଯାଇଥିଲେ। ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଊନ୍ନୟନ ସଂସ୍ଥା ) ଦ୍ୱାରା ଗୋଳା ପରୀକ୍ଷା ସମୟରେ ଗୋଳାଗୁଡିକୁ ବାଲିରେ ପଡି ଫୁଟିଥାଏ। ଏହାପରେ ସେମାନେ ଦୌଡି ଯାଇ ଗୋଳା ଗୋଟାଉଥିବା ବେଳେ ଏକ ଅଫୁଟା ଗୋଳା ଫୁଟିବା ସହିତ ତାହା ଛିଟିକି ଆସି ରବୀନ୍ଦ୍ରଙ୍କ ଜଂଘ ଓ ଅଣ୍ଟାରେ ବାଜିଥିଲା। ସେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ଅନ୍ୟ ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।