ଅବକାରୀ ଚଢ଼ାଉ: ୧୦୦ କୁଇଣ୍ଟାଲ ମହୁଲଫୁଲ ଜବତ

କୁତ୍ରା, ୬।୧୧ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରାଠାରେ ରାଜଗାଙ୍ଗପୁର ଓ ବଡ଼ଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଫୁଲ ଜବତ କରାଯାଇଛି। କୁତ୍ରାଠାରେ ସନ୍ତୋଷ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ୧୦୦ କୁଇଣ୍ଟାଲରୁ ଅଧିକ ବେଆଇନ ମହୁଲ ଫୁଲ ଗଚ୍ଛିତ ଥିବା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପର ହୋଇଯାଇଥିଲା। ମଙ୍ଗଳବାର ଜିଲା ଅବକାରୀ ଅଧ୍ୟକ୍ଷ ଲକ୍ଷ୍ମୀଧର ପରିଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନ୍ସପେକ୍ଟର ସତ୍ୟଜିତ ଖୁଣ୍ଟୁଆ, ରାଜେନ୍ଦ୍ର ବେହେରା, ସବ୍‌ଇନ୍ସପେକ୍ଟର ଅଶୋକ ପଟେଲ, ଆର.କେ ନାଏକଙ୍କ ସମେତ ଅବକାରୀ କର୍ମଚାରୀ, କୁତ୍ରା ଥାନା ଏଏସଆଇ ଆର.କେ ନାଏକଙ୍କ ଉପସ୍ଥିତିରେ ଚଢ଼ାଉ କରିଥିଲେ। ମଙ୍ଗଳବାରଠାରୁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଚଢାଉ କରାଯାଇ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଫୁଲ ଜବତ କରାଯାଇଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସନ୍ତୋଷ ବେହେରାଙ୍କୁ ଅବକାରୀ ବିଭାଗ ଅଟକ ରଖିଥିବା ବେଳେ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।

Share