ଅବକାରୀ ଚଢାଉ: ୩ ବାଇକ୍‌ ଜବତ, ୩ ଗିରଫ

କଟକ ଅଫିସ,୨୪।୪: ଲକ୍‌ଡାଉନ ବଳବତ୍ତର ଥିଲେ ସୁଦ୍ଧା ବେଆଇନ ଭାବେ ମଦ ବେପାର ଜୋରଦାର ଚାଲିଛି। ମଦ ବେପାରୀମାନେ ଚୋରାରେ ଗ୍ରାହକଙ୍କ ନିକଟରେ ମଦ ପହଞ୍ଚାଉଛନ୍ତି। ଗୁରୁବାର କଟକ ଜିଲା ଅବକାରୀ ବିଭାଗ ମୋଟ୍‌ ୨୩୩ ଲିଟର ୨୪୦ ଗ୍ରାମ୍‌ ମଦ ଜବତ କରିଛି ବୋଲି ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଅଶୋକ କୁମାର ଶତପଥୀ କହିଛନ୍ତି। ଏଥିମଧ୍ୟରେ ଦେଶୀ ରନ୍ଧା ମଦ ୨୩୦ ଲିଟର ଓ ବିଦେଶୀ ମଦ ୩. ୨୪୦ ଲିଟର ରହିଛି। ଚୌଦ୍ୱାର କୟଳପଡ଼ା ଅଞ୍ଚଳରେ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି। ସେହିପରି ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆରେ ୩.୨୪୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି । କଟକ ସଦର ଓ ବାଙ୍କୀର ବିଭିନ୍ନ ସ୍ଥାନରେ ଜିଲା ଅବକାରୀ ବିଭାଗ ଚଢ଼ାଉ କରି ରନ୍ଧା ମଦ ସମେତ ୩ଟି ବାଇକ ଜବତ କରିଛି।

Share