ଅବକାରୀ, ପୋଲିସର ମିଳିତ ଚଢ଼ାଉ: ୬୮ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୧୦।୧୨(ସ୍ବ.ପ୍ର.)- ବାଂଲାଦେଶରୁ ପଶ୍ଚିମବଙ୍ଗର ଖଡ଼ଗପୁର ଓ ବର୍ଦ୍ଧମାନ ଅଞ୍ଚଳ ଦେଇ ବ୍ରାଉନସୁଗାର ବାଲେଶ୍ୱର ଜିଲା ଜଳେଶ୍ୱରକୁ ଆସୁଛି। ସେଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବହୁ ଚାଞ୍ଚଲ୍ୟକର ପ୍ରମାଣ ଅବକାରୀ ଓ ପୋଲିସକୁ ମିଳିଛି । ସୋମବାର ମଧ୍ୟରାତ୍ରରେ ଜଳେଶ୍ୱର ଅବକାରୀ ଥାନା କର୍ମଚାରୀ, ବାଲେଶ୍ୱର ଜିଲା ମୋବାଇଲ୍‌ ସ୍କ୍ବାଡ଼ ଓ ଜିଲା ପୋଲିସ ଜଳେଶ୍ୱର ଥାନା ରାଜପୁରଠାରେ ଥିବା ସଂଖ୍ୟାଲଘୁ ବସ୍ତି ଉପରେ ଚଢ଼ାଉ କରି ୬୮ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ।

ଜିଲା ଅବକାରୀ ଏସ୍‌ପି ବିବେକାନନ୍ଦ ନାୟକ ଓ ଜିଲା ଅବକାରୀ ଅଧୀକ୍ଷକ ବି. ଯୁଗଳ କିଶୋରଙ୍କ ମିଳିତ ନିର୍ଦ୍ଦେଶରେ ଉକ୍ତ ବସ୍ତି ଉପରେ ଚଢ଼ାଉ କରାଯାଇଥିଲା। ବସ୍ତିର ଆବାସ ଖାଁ(୩୦)ଙ୍କ ଘରେ ବ୍ୟାପକ ବ୍ରାଉନ୍‌ସୁଗାର କାରବାର ହେଉଥିବା ଗୋଇନ୍ଦା ବିଭାଗର ସୂଚନା ଅନୁଯାୟୀ ଅବକାରୀ ଡିଏସ୍‌ପି ସେକ୍‌ ଆସପ ଅଲ୍ଲିଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ତାଙ୍କ ଘରୁ ୬୮ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ୮୦ହଜାର ଟଙ୍କା ହେବ। ଅବକାରୀ ସ୍ବତନ୍ତ୍ର ମୋବାଇଲ୍‌ ସ୍କ୍ବାଡ଼ରେ ମାମଲା (ନଂ. ୧୫୨/୧୯) ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି।

ଚଢାଉରେ ଆଇଆଇସି ଉଦେଲାଲ ନାୟକ, ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଓମ୍ପା ମାରାଣ୍ଡି, ଦୋଳଗୋବିନ୍ଦ ଧଳ, ଭାସ୍କର ଚନ୍ଦ୍ର ବେହେରା, ଚନ୍ଦ୍ର ସେଠୀ, ସେକ୍‌ କଲିମ୍‌, ଅଞ୍ଜନ ଜେନା, ପ୍ରହ୍ଲାଦ ବିଶ୍ୱାଳ, ମୀନତି ଜେନା, ସୃଷ୍ଟିଧର ଦେହୁରୀ, ମଙ୍ଗଳ ସିଂ, ରାଜୀବ ଭଞ୍ଜ, କୁମୁଦିନୀ ସଁ, ଶଶୀ ସାହୁ ଓ ୮ଜଣିଆ ଏପିଆର୍‌ ପୋଲିସ୍‌ ସାମିଲ ଥିଲେ।