ଅବକାରୀ ଭ୍ୟାନ୍‌କୁ ଧକ୍କା ଲଗାଇ ଖସିଗଲେ ମଦ ବେପାରୀ, ଡ୍ରାଇଭର

ଭଦ୍ରକ ଅଫିସ, ୧୬।୭ – କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ସୋମବାର ଭୋର ସମୟରେ ଚଢ଼ାଉ କରି ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରୁ ୧୨୫୦ ଲିଟର ଦେଶୀମଦ ବୋଝେଇ ଏକ ଗାଡ଼ିକୁ ଜବତ କରିଛି। ଗାଡ଼ିରେ ଥିବା ଜଣେ ମଦ ମାଫିଆ ଓ ଚାଳକ ଅବକାରୀ ବିଭାଗ ଭ୍ୟାନ୍‌କୁ ଧକ୍କା ଦେଇ ସେଠାରୁ ଖସି ଯାଇଥିବା ଜଣାପଡ଼ିଛି। ଅବକାରୀ ପୋଲିସ ମଦ ବୋଝେଇ ଟର୍‌ବୋ ଗାଡ଼ି(ନଂ. ଓଆର୍‌୦୫ଏବି୦୪୯୪)କୁ ଜବତ କରି ଏକ ମାମଲା(ନଂ. ୬୪/୧୯) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ମଦ ବେପାରୀମାନେ ରୀତିମତ ବାଲେଶ୍ୱରରୁ ଚୋରାମଦ ଆଣି ଭଦ୍ରକ ଓ ଏହା ଆଖପାଖରେ ବିକ୍ରି କରିବା ଘଟଣା ନିତିଦିନିଆ ହୋଇଛି। ସ୍ଥାନୀୟ ଅବକାରୀ ବିଭାଗ ଏହାର କୌଣସି ଟେର୍‌ ପାଇପାରୁ ନାହିଁ। ରବିବାର ରାତିରେ ବାଲେଶ୍ୱରରୁ ଚୋରାମଦ ଅଣାଯାଉଥିବା କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଗୋଇନ୍ଦା ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ଟିମ୍‌କୁ ଦେଖି ମଦବୋଝେଇ ଗାଡ଼ି ଚାଳକ ଦ୍ରୁତଗତିରେ ଗାଡ଼ି ଚଳାଇ ଖସିଯିବାକୁ ଉଦ୍ୟମ କରିବା ବେଳେ ଅବକାରୀ ବିଭାଗ ଭ୍ୟାନ୍‌କୁ ଧକ୍କା ଦେଇଥିଲେ। ଏଥିରେ ଭ୍ୟାନ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା କର୍ମଚାରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହି ସୁଯୋଗରେ ଫେରାର ହୋଇଯାଇଥିବା ଭଦ୍ରକର ମଦ ମାଫିଆ ଓ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ତନାଘନା କରୁଥିବା ସୂଚନା ଦେଇଛି।

Share