ଅବଧି ସରିଛି, ରିଫିଲ ହେଉନି

ପାଲଲହଡ଼ା, ୨୪ା୨(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ବୈଧତା ସରିଥିଲେ ହେଁ ଏହାକୁ ରିଫିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏହାର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କୌଣସି ସମୟରେ ଦୁର୍ଘଟଣା ଘଟିଲେ ଏହାକୁ ଆୟତ୍ତ କରାଯିବା କଷ୍ଟକର ହୋଇପଡିବ ବୋଲି ରୋଗୀ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଥିଲେ ହେଁ କାମ ନେଇଥିବା ଏକ ସଂସ୍ଥା ଠିକ୍‌ ଭାବେ ଦାୟିତ୍ୱ ତୁଲାଉ ନ ଥିବା ଅଭିଯୋଗ ହୋଇଛି।
ପାଲଲହଡ଼ା ଡାକ୍ତରଖାନା ପରିସରରେ ୨୦ରୁ ଅଧିକ ଅଗ୍ନି ନିର୍ବାପକ ଯନ୍ତ୍ର ଖଞ୍ଜା ଯାଇଛି। ଅଭିଯୋଗ ମୁତାବକ, ଗତ ଜାନୁୟରୀରୁ ଏଗୁଡିକର ବୈଧତା ଶେଷ ହୋଇଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଏହାକୁ ରିଫିଲ କରାଯାଇନାହିଁ। ବାର୍ଷିକ ଏ ବାବଦ ୨୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଉପଖଣ୍ଡ ଅଗ୍ନିଶମ ଅଧିକାରୀ ଲକ୍ଷ୍ମୀକାନ୍ତ ଥାପ୍ପାଙ୍କୁ ପଚାରିବାରେ କହିଛନ୍ତି, ଅଗ୍ନି ନିର୍ବାପକ ଯନ୍ତ୍ରଗୁଡିକ ବର୍ଷକୁ ଥରେ ରିଫିଲ କରାଯିବା କଥା। ଯଦି ସେମିତି ହେଉ ନ ଥାଏ ତେବେ ଏ ନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଜୟକୃଷ୍ଣ ନାୟକ କହିଛନ୍ତି, ଦାୟିତ୍ୱ ନେଇଥିବା ସଂସ୍ଥାକୁ ଶୀଘ୍ର ରିଫିଲ କରାଯିବାକୁ କୁହାଯାଇଛି।