ଅବସରପ୍ରାପ୍ତ ପାରାମେଡିକାଲ କର୍ମୀଙ୍କ ନିଯୁକ୍ତିକୁ ବିରୋଧ: ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ଧାରଣା

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବସରପ୍ରାପ୍ତ ପାରାମେଡିକାଲ କର୍ମୀଙ୍କ ପୁନଃ ନିଯୁକ୍ତିକୁ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ବିରୋଧ କରିଛି। ଶୁକ୍ରବାର ସଂଘ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ଅଫିସ୍‌କୁ ଘେରାଉ କରାଯାଇ ଧାରଣା ଦିଆଯାଇଥିଲା। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସ ଭିତରକୁ କୌଣସି କର୍ମଚାରୀ କିମ୍ବା ଜନସାଧାରଣ ପ୍ରବେଶ କରିପାରି ନ ଥିଲେ। ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଦ କରାଯିବା ପରେ ସଂଘ ପକ୍ଷରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଜିଲାରେ ହଜାର ହଜାର ଶିକ୍ଷିତ ଏଏନ୍‌ଏମ୍‌ ଛାତ୍ରୀଛାତ୍ରମାନେ ବେକାର ହୋଇ ରହିଛନ୍ତି। ଏନ୍‌ଆର୍‌ଏଚ୍‌ଏମ୍‌ (ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ) ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଜିଲା ଅଧିକାରୀ ପାରାମେଡିକାଲ ପଦବୀ ପାଇଁ ଅବସର ଗ୍ରହଣ କରିଥିବା ୬୦ରୁ ୭୦ବର୍ଷ ବୟସ ଆବେଦନକାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଗତ ୧୪ତାରିଖରେ ବିଜ୍ଞାପନ ପ୍ରକାଶ କରିଥିଲେ। ଶୁକ୍ରବାର ପୁନଃ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଥିବା ଜାଣି ପାରି ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ଏହାର ପ୍ରତିବାଦ କରି ଧାରଣା ଦେଇଥିଲା। ୨୦୦୬ରୁ ୨୦୧୮ ପର୍ଯ୍ୟନ୍ତ ଜିଲାର ହଜାର ହଜାର ଏଏନ୍‌୍‌ଏମ୍‌ ଛାତ୍ରୀଛାତ୍ର ନିଯୁକ୍ତି ପାଇବା ଅପେକ୍ଷାରେ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଏପରି ନିଯୁକ୍ତି ନୀତିକୁ ବିରୋଧ କରାଯାଇଥିଲା। ସଂଘର ରାଜ୍ୟ ସଭାପତି ପାର୍ଥସାରଥି ଜେନାଙ୍କ ନେତୃତ୍ୱରେ ଜୟନ୍ତୀ ପାଣିଗ୍ରାହୀ, ମାନସୀ ସିଂହଳ, ଶିଖା ଚନ୍ଦ୍ରିକା, ମଧୁସ୍ମିତା ବିଶ୍ୱାଳ, ଶୁଭସ୍ମିତା ମହାନ୍ତି, ଜୟନ୍ତୀ ରାଉତ, ସ୍ବାଗତିକା ମଲ୍ଲିକ, ବୃନ୍ଦାବତୀ ବେହେରା, ସୁଚିସ୍ମିତା ଦାସ, କୃଷ୍ଣପ୍ରିୟା ସିଂ ଓ ଅନୁପମା ଦାସ ପ୍ରମୁଖ ସାମିଲ ଥିଲେ। ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଛୋଟରାୟ ସାକ୍ଷାତ୍‌କାର ରଦ୍ଦ କରିବା ପରେ ଏଏନ୍‌ଏମ୍‌ ଛାତ୍ରୀମାନେ ଧାରଣାରୁ ହଟିଥିଲେ।