ଅବସର ନେବେ ନାହିଁ ହାଫିଜ୍‌

କରାଚୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲେ ମଧ୍ୟ ପାକିସ୍ତାନ ଭେଟେରାନ ଅଲ୍‌ରାଉଣ୍ଡର ମହମ୍ମଦ ହାଫିଜ ବର୍ତ୍ତମାନ ସୀମିତ ଓଭର କ୍ରିକେଟ୍‌ରୁ ଅବସର ନେବାର କୌଣସି ପ୍ଲାନ ନାହିଁ ବୋଲି ଜଣାପଡ଼ିଛି। ନିକଟରେ ପ୍ରାକ୍ତନ ଅଧିନାୟକ ତଥା ମୁଖ୍ୟ କୋଚ୍‌ ଓ୍ବାକର ୟୁନିସ ହାଫିଜଙ୍କୁ ଅବସର ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ହାଫିଜଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି, ଓ୍ବାକର ଅବସର ପରାମର୍ଶ ଦେଇଥିଲେ ମଧ୍ୟ ହାଫିଜ ଆଉ କିଛି ବର୍ଷ ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବରରେ ୩୯ ବର୍ଷରେ ପାଦ ରଖିବାକୁ ଯାଉଥିବା ହାଫିଜ ମଧ୍ୟ ପାକିସ୍ତାନ ଟିମ୍‌ ମ୍ୟାନେଜମେଣ୍ଟକୁ ଅବସର ନେବାର କୌଣସି ଯୋଜନା ନ ଥିବା ଜଣାଇବା ସହ ସେ ଦିନିକିଆ ଓ ଟି୨୦ ଖେଳିବା ପାଇଁ ଫିଟ୍‌ ରହିଥିବା ଜଣାଇ ଦେଇଛନ୍ତି। ଏହି ସ୍ପିନ ବୋଲିଂ ଅଲ୍‌ରାଉଣ୍ଡର ୨୧୮ ଦିନିକିଆ ଓ ୮୯ ଟି୨୦ ମ୍ୟାଚ୍‌ରେ ଦେଶ ତରଫରୁ ପ୍ରତିନିଧିତ୍ୱ କରିସାରିଛନ୍ତି।

Share