Categories: ଜାତୀୟ

ବିଦାୟ ନେଲା କାର୍‌ଗିଲ ଯୁଦ୍ଧର ‘ହିରୋ’ ମିଗ୍‌-୨୭ ବିମାନ

ଯୋଧପୁର, ୨୭।୧୨: କାର୍‌ଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍‌-୨୭କୁ ଶୁକ୍ରବାର ଭାରତୀୟ ବାୟୁସେନାରୁ ବିଦାୟ ଦିଆଯାଇଛି। ଏହି ଲଢୁଆ ବିମାନଟି ଦୀର୍ଘ ୩ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥିଲା। ଭାରତୀୟ ବାୟୁସେନାର ‘ବାହାଦୁର’ ନାମରେ ପରିଚିତ ଏହି ଯୁଦ୍ଧ ବିମାନକୁ ଅନ୍ତିମ ବିଦାୟ ଦିଆଯାଇଛି। ଆଗକୁ ବିମାନଟି ଆଉ ଭାରତୀୟ ଆକାଶରେ ଦେଖିବାକୁ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି ବାୟୁସେନା। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିରୁ ଶେଷ ସ୍କ୍ବାର୍ଡନ ‘ସ୍କର୍ପିଅନ-୨୯’ରେ ଥିବା ସମସ୍ତ ୭ଟି ମିଗ-୨୭ ବିମାନ ଶେଷଥର ପାଇଁ ଉଡାଣ ଭରିଥିଲା। ଏହି ଅବସରରେ ବାୟୁସେନାର ଅନେକ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭାରତର ସାମରିକ ଇତିହାସରେ ମିଗ-୨୭ ବିମାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ଏହି ଲଢୁଆ ବିମାନଗୁଡିକ ୧୯୮୧ ମସିହାରେ ବାୟୁସେନାରେ ସାମିଲ କରାଯାଇଥିଲା। ୧୯୯୯ କାର୍‌ଗିଲ ଯୁଦ୍ଧ ସମୟରେ ଏହି ବିମାନଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Share