Categories: ଖେଳ

ଅବସର ପୂର୍ବରୁ ରାଞ୍ଚିକୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି ଧୋନୀ

ରାଞ୍ଚି,୨୯।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। ୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ନିଜକୁ ଦୂରେଇ ରଖିଥିବା ଧୋନୀ କିନ୍ତୁ ଏବେ ବିନ୍ଦାସ ଜୀବନ ବିତାଉଛନ୍ତି। କେବେ ତାଙ୍କୁ ଭାରତୀୟ କ୍ରିକେଟ ଦଳର ଡ୍ରେସିଂ ରୁମ୍‌ରେ ତ ଆଉ କେତେବେଳେ ଝିଅ ଜିଭା ସହ ମସ୍ତି କରୁଥିବାର ଦେଖାଯାଉଛି। ଏବେ ସେ ନିଜ ସହର ରାଞ୍ଚିରେ ଏକ କ୍ରିକେଟ ଏକାଡେମୀ ଖୋଲିବାକୁ ଯାଉଛନ୍ତି। ଧୋନୀ ନିଜ ପିଲାଦିନର ବନ୍ଧୁ ମିହିର ଦିବାକରଙ୍କ ସହ ମିଶି ଏହି ଏକାଡେମୀ ଖୋଲିବାର ଯୋଜନା କରୁଛନ୍ତି। କ୍ରିକେଟ ଖେଳିବାକୁ ଚାହୁଁଥିବା ପିଲାମାନେ ଏଠାରେ ଟ୍ରେନିଂ ନେଇପାରିବେ। ପାଟନା, ନାଗପୁର, ବାରାଣସୀ ଏବଂ ଇନ୍ଦୋରରେ ଧୋନୀ କ୍ରିକେଟ ଏକାଡେମୀ ଖୋଲି ସାରିଛନ୍ତି। ଆଗକୁ ସିଲଗୁଡି ଏବଂ ରାଞ୍ଚିରେ ଖୋଲିବାର ଯୋଜନା ରହିଛି ବୋଲି ଧୋନୀ ବନ୍ଧୁ ପ୍ରକାଶ କରିଛନ୍ତି।

Share