Categories: ଖେଳ

ଅବସର ମ୍ୟାଚ୍‌ରେ ମାସାକାଡ୍‌ଜାଙ୍କ ବିସ୍ଫୋରକ ବ୍ୟାଟିଂ

ଚାଟୋଗ୍ରାମ,୨୧।୯: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଜିମ୍ବାଓ୍ବେ ଦଳର ଅଧିନାୟକ ହାମିଲଟନ ମାସାକାଡ୍‌ଜା କ୍ୟାରିୟରର ଅନ୍ତିମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୪୨ ବଲରୁ ୭୧ ରନ୍‌ର ଇନିଂସ ଖେଳିଥିଲେ। ଅନ୍ତିମ ଅନ୍ତର୍ଜାତୀୟ ଇନିଂସରେ ଥିଲା ୫ ଛକା ଓ ୪ ଚୌକା। ଏଭଳି ବ୍ୟାଟିଂ ଯୋଗୁ ଜିମ୍ବାଓ୍ବେ ଦଳ ଏଠାରେ ଖେଳାଯାଇଥିବା ଆଫଗାନିସ୍ତାନକୁ ୭ ଉଇକେଟରେ ହରାଇ ଦେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୫୫ ରନ୍‌ କରିଥିଲା। ଓପନର ରହମାନୁଲା ଗୁର୍ବାଜ ୬୧ ଓ ହଜାରୁତୁଲା ଜାଜାଇ ୩୧ ରନ୍‌ କରିଥିଲେ। ଜିମ୍ବାଓ୍ବେ ପକ୍ଷରୁ କ୍ରିସ୍‌ ଏମ୍‌ପୋଫୁ ୪ ଓ ତିନୋତେଣ୍ଡା ମୁଟୋମ୍‌ବୋଜି ୨ ଉଇକେଟ ନେଇଥିଲା। ପରେ ଜିମ୍ବାଓ୍ବେ ଦଳର ଅଧିନାୟକ ମାସାକାଡ୍‌ଜା ବ୍ୟାଟିଂ କରିବା ପାଇଁ କ୍ରିଜ୍‌କୁ ଓହ୍ଲାଇଲାବାବେଳେ ତାଙ୍କୁ ଦଳର ସାଥୀ ଖେଳାଳିମାନେ ଗାର୍ଡ ଅଫ୍‌ ଅନର ଦେଇଥିଲେ। ମାସାକାଡ୍‌ଜାଙ୍କ ୭୧, ରେଗିସ ଚାକାବ୍‌ଭାଙ୍କ ୩୯ ଓ ସିନ ଓ୍ବିଲିୟମ୍ସଙ୍କ ଅପରାଜିତ ୨୧ ରନ୍‌ର ଇନିଂସ ଯୋଗୁ ଦଳ ୩ ବଲ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଏହା ଜିମ୍ବାଓ୍ବେ ଦଳର ଚଳିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ପ୍ରଥମ ବିଜୟ।

Share