ଅବହେଳା ପାଇଁ ଆଖି ବୁଜିଲେ ଛାତ୍ରୀ: କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ପରିବାର ଲୋକେ

ସିମୁଳିଆ, ୮।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମ୍ନୀ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୃତ ଛାତ୍ରୀଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଶବ ନ ଛାଡ଼ି କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି। ଘଟଣାସ୍ଥଳରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମଲୋଚନ ପଣ୍ଡା, ତହସିଲଦାର ରବିନାରାୟଣ ସାହୁ, ମାର୍କୋଣା ସରପଞ୍ଚ ସାରସୀ ମହାନ୍ତି, ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ପ୍ରମୁଖ ପହଞ୍ଚତ୍ ଆଲୋଚନା କରିଥିଲେ।
କ୍ଷୀରାକୋଣା ପଞ୍ଚାୟତ ନରଣପୁର ଅଞ୍ଚଳର ରମେଶ ମଲିକଙ୍କ ଝିଅ ଲତା ସ୍ଥାନୀୟ କ୍ଷୀରକୋଣା କଲେଜରେ ଯୁକ୍ତ ୨ରେ ପଢ଼ନ୍ତି ା ଗତ ଶୁକ୍ରବାର ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ତାଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିଥିଲା। ଘରୋଇ ଆମ୍ବୁଲାନ୍ସରେ ଅସୁସ୍ଥ ଲତାଙ୍କୁ ନେଇଯିବା ପାଇଁ କୁହାଯାଇଥିଲେ ହେଁ କୌଣସି ପୁରୁଷ ଲୋକ ନ ଥିବା ଦର୍ଶାଇ ପରିବାର ଲୋକେ ବିଳମ୍ବ କରିଥିଲେ। ଶନିବାର ସକାଳ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ହେବାରୁ ସକାଳ ୯ଟାରେ ତାଙ୍କର ମୃତ୍ୟୁ ହୋଇଥିବା ଡା. ସୁବାଷ ଦାସ କହିଛନ୍ତି। ଘଟଣାସ୍ଥଳରେ ତହସିଲଦାର ପହଞ୍ଚତ୍ ରେଡ଼କ୍ରସ ତରଫରୁ ୧୦ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ। ଅପରପକ୍ଷେ ଖବର ଲେଖାଯିବା ପର୍ଯ୍ୟନ୍ତ ପରିବାର ଲୋକେ ଡାକ୍ତରଙ୍କଠାରୁ କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ। ପ୍ରକାଶ ଯେ, ମୃତ ଲତାଙ୍କ ବାପା ଓ ଭାଇ ବାହାର ରାଜ୍ୟରେ କାମ କରନ୍ତି। ଡାକ୍ତରଖାନା ପକ୍ଷରୁ ତାଙ୍କୁ ଭଦ୍ରକ କାହିଁକି ପଠାଗଲାନି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।